ମା’ ଲକ୍ଷ୍ମୀଙ୍କ କଥା ବୁଝିବ କିଏ ? ପ୍ରଶାସନ-ସେବାୟତଙ୍କ ମଧ୍ୟରେ ଘନେଇଲା ବିବାଦ

27

କନକ ବ୍ୟୁରୋ :  ମାର୍ଗଶୀର ମାସ ଗୁରୁବାର ଦିନ ଯେତେବେଳେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ବିନା ମୁକୁଟରେ ଭକ୍ତ ଦର୍ଶନ କଲେ, ସେତେବେଳେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଲା । କୁଆଡେ ଗଲା ମାଆ ଲକ୍ଷ୍ମୀଙ୍କ ମୁକୁଟ, ଏ ନେଇ ପ୍ରଶ୍ନ ଉଠିଛି । ଏହି ବିବାଦ ଚାଲିଥିବା ବେଳେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଶ୍ରୀମନ୍ଦିର ପ୍ରଶାସନ ନିୟନ୍ତ୍ରଣକୁ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ଏହି ପ୍ରସ୍ତାବକୁ ତୀବ୍ର ବିରୋଧ କରିଛନ୍ତି ସେବାୟତ ।

ମହାଲକ୍ଷ୍ମୀଙ୍କ ମୁକୁଟ କୁଆଡେ ଗଲା ଏହି ବିବାଦ ଘନଉଥିବା ବେଳେ ମହାଲକ୍ଷ୍ମୀ ମନ୍ଦିରକୁ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରୁଛି ଶ୍ରୀମନ୍ଦିର ପ୍ରଶାସନ । ମୁଖ୍ୟ ପ୍ରଶାସକ କହିଛନ୍ତି, ସୁନାର ମୁକୁଟ ତିଆରି କରିବା ସହ ମାଆ ଲକ୍ଷ୍ମୀଙ୍କ ସବୁ ଗହଣାର ହିସାବ ରଖିବ ପ୍ରଶାସନ ।

ସେପଟେ ଲକ୍ଷ୍ମୀମନ୍ଦିର ପରିଚାଳନା କେବେ ବି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୟାନର ପ୍ରତିକ୍ରିୟାରେ ଏହା କହିଛନ୍ତି ବରିଷ୍ଠ ସିଂହାରୀ ସେବାୟତ, ଗୌରୀଶଙ୍କର ସେବାୟତ । ଶ୍ରୀମନ୍ଦିର ଭିତରେ ଥିବା ଅନ୍ୟ ମନ୍ଦିର ଭଳି ମହାଲକ୍ଷ୍ମୀ ମନ୍ଦିରକୁ ହାତକୁ ନେବାକୁ ମନ୍ଦିର ପ୍ରଶାସନ ଅଂଟା ଭିଡିଥିବା ବେଳେ ଏହାକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଛି ।