ମଧୁଙ୍କ ମହାନତା ! ଗହଣା ,ସଂପତ୍ତି ବିକ୍ରି କରି ଦିବ୍ୟାଙ୍ଗ ଏବଂ ଅନାଥ ପିଲାଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସଂସ୍ଥା , ଲକ୍ଷ ରହିଛି ଗୋଟିଏ “ପିଲାଙ୍କ ଉଜ୍ଜଳ ଭବିଷ୍ୟତ”

148

ଆଜିର ସମୟରେ ଦରକାର ପଡିଲେ ରକ୍ତର ସଂପର୍କ ଯେଉଁଠି ପର ହୋଇଯାଉଛି ସେହି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯାହାଙ୍କ ଯୋଗୁଁ ମାନବିକତା ନାମ୍ନୀ ଶବ୍ଦଟି ତିଷ୍ଠି ରହିଛି । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ କଥା ଶୁଣିଲେ ଆପଣଙ୍କ ମୁହଁରେ ସ୍ମିତହାସ୍ୟ ଆସିବ ନିଶ୍ଚୟ । ମହିଳାଙ୍କ ନାଁ ମଧୁ ତୁଗନେତ୍ । ପେସାରେ ଜଣେ ଫ୍ୟାସନ୍ ଡିଜାଇନର୍ ।

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ରେ ଇଚ୍ଛା ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ମଧ୍ୟ ଚଲାନ୍ତି । ୨୦୧୦ ରେ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ଇଚ୍ଛା ଫାଉଣ୍ଡେସନ୍” ଗରିବ,ଅନାଥ ଏବଂ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ଗଢିଉଠିଛି । ବିଶାଖାପାଟନମ୍ ଠାରୁ ୫୪ କି.ମି. ଦୂର କୋଣ୍ଡକରଲା ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଗଢିଉଠିଥିବା ଏହି ସଂସ୍ଥା ୨୦ ଜଣ ପିଲାଙ୍କୁ ନେଇ ଗଢିଉଠିଛି । ୨ ଜଣ ପରିତ୍ୟକ୍ତ ପିଲାଙ୍କଠାରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଏବେ ୨୦ ଜଣ ପିଲାଙ୍କ ପାଇଁ ଘର ପାଲଟିଛି । ଏଠାକାର ସଦସ୍ୟ ନିଜ ସ୍ନେହ ଏବଂ ପ୍ରେମରେ ପିଲାଙ୍କ ଧ୍ୟାନ ରଖିଥାନ୍ତି । ସଂସ୍ଥା ପିଲାଙ୍କ ଖାଦ୍ୟପେୟ ,ସ୍ୱାସ୍ଥ୍ୟସେବା ସହ ଶିକ୍ଷାରେ ମଧ୍ୟ ଆଗୁଆ ଅଛି ।

୬୦ ବର୍ଷୀୟା ମଧୁ କୁହନ୍ତି ଏହି ୨୦ ଟି ପିଲାଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଥିବା ବେଳେ , ୩ ଜଣ ଶାରୀରିକ ରୂପେ ଦିବ୍ୟାଙ୍ଗ ଏବଂ ବଳକା ୭ ଜଣ ପିଲା ଉଭୟ ମାନସିକ ଏବଂ ଶାରୀରିକ ରୁପେ ଦିବ୍ୟାଙ୍ଗ ଅଛନ୍ତି । କିନ୍ତୁ ମଧୁ ଏବଂ ତାଙ୍କ ଟିମ୍ ପାଇଁ ଏହି ପିଲାମାନେ ପରିବାରର ସଦସ୍ୟ ଭଳି । ପିଲାମାନଙ୍କୁ କିଭଳି ଉନ୍ନତମୂଳକ ଭବିଷ୍ୟତ ମିଳିବ ଏନେଇ ଇଚ୍ଛା ଫାଉଣ୍ଡେସନ୍ ପକ୍ଷରୁ ପ୍ରଚେଷ୍ଟା କରାଯାଏ ।

ଫ୍ୟାସନ୍ ଡିଜାଇନର୍ ମଧୁ କୁହନ୍ତି ୨୫ ବର୍ଷ ବୟସରେ ହିଁ ସମାଜ ପାଇଁ କିଛି କରିବାକୁ ତାଙ୍କୁ ପ୍ରବଳ ଇଚ୍ଛା ହେଲା । ଥରେ ସେ ଏକ ଦିବ୍ୟାଙ୍ଗ ସଂଗଠନରେ ସ୍ୱେଚ୍ଛାସେବୀ ରୁପେ କାମ କରିବାକୁ ଯାଇଥିଲେ । ସେଠାରେ ଥିବା ଦିବ୍ୟାଙ୍ଗ ପିଲାଙ୍କୁ ଦେଖି ମଧୁ କିଛି ସମୟ ଅଟକିଗଲେ । ସେବେଠାରୁ ତାଙ୍କ ମନରେ ଏଭଳି ପିଲାଙ୍କୁ ନେଇ ଏକ ସଂଗଠନ ପ୍ରସ୍ତୁତ କରିବାର ଇଚ୍ଛା ଜାଗ୍ରତ ହୋଇଥିଲା । ତା’ପରେ ସଂଗଠନ ପ୍ରସ୍ତୁତି ପାଇଁ ଯାହା କଷ୍ଟ କରିବାକୁ ପଡ଼ିଲା ସେ ତାହା କଲେ , ଏମିତିକି ନିଜ ଗହଣା ଏବଂ ସଂପତ୍ତି ମଧ୍ୟ ବିକ୍ରି କଲେ । ବର୍ତ୍ତମାନ ଇଚ୍ଛା ଫାଉଣ୍ଡେସନ୍ ରେ ଫଣ୍ଡ କମ୍ ଥିଲେ ମଧ୍ୟ ପିଲାମାନଙ୍କୁ କିଭଳି ଏକ ଉଜ୍ଜଳ ଭବିଷ୍ୟତ ମିଳିବ ଏନେଇ ମଧୁଙ୍କ ଚେଷ୍ଟା ଜାରି ରହିଛି ।