ଓଡ଼ିଶା ରାଜନୀତିରେ କିଏ ରାମ, କିଏ ରାବଣ? ସୁର, ପ୍ରସନ୍ନ ଓ ଦାମ ଖୋଲିଲେ ରାମ-ରାବଣ ଉପାଖ୍ୟାନ ପେଡ଼ି ।

1,117

କନକ ବ୍ୟୁରୋ: ପାର୍ବଣ ଅବସରରେ ଆରମ୍ଭ ହେଲା ରାମ-ରାବଣ ରାଜନୀତି । କେଉଁ ରାଜନୈତିକ ଦଳରେ କିଏ ରାମ ଆଉ କିଏ ରାବଣ ? ସେନେଇ ନେଇ ଚାଲିଲା ଆରୋପ ପ୍ରତ୍ୟାରୋପ । କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି କି, ରାଜନୀତିରେ ବି ରାବଣ ଅଛନ୍ତି ଆଉ ଏମିତିକି ଓଡ଼ିଶା ରାଜନୀତିରେ ୨ରୁ ୩ ଜଣ ରାବଣ ଅଛନ୍ତି । ବିଜେଡିର ନବୀନ ହେଉଛନ୍ତି ବେଳେ ବେଳେ ରାମ ଆଉ ବେଳେବେଳେ ରାବଣ, ବିଜେପିର ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାବଣ ଓ ରାମ ଚରିତ୍ର ଧାରଣ କରୁଛନ୍ତି କିନ୍ତୁ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ପୂରା ରାମଙ୍କ ଭଳି । ସବୁ ଗୁଣରେ ପରିପୂର୍ଣ୍ଣ ନିରଞ୍ଜନ ବୋଲି କହିଛନ୍ତି ସୁର ।

ସେପଟେ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଏହି ରାମ-ରାବଣ ରାଜନୀତି ଉପାଖ୍ୟାନ ନେଇ କହିଛନ୍ତି କି, ଓଡ଼ିଶା ରାଜନୀତିରେ ଉଭୟ ରାମ ଓ ରାବଣ ଚରିତ୍ର ଅଛନ୍ତି । କିନ୍ତୁ ନବୀନ ଧର୍ମେନ୍ଦ୍ର ଓ ନିରଞ୍ଜନ ତିନିଜଣ ହେଉଛନ୍ତି ରାମ କାଟାଗୋରୀର । ଆଉ ମୁଁ ହେଉଛି ଓଡ଼ିଶା ରାଜନୀତିର ଜଣେ ହନୁମାନ । କାରଣ ଯେତେବେଳେ କଂଗ୍ରେସରେ ଥିଲି ସେତେବେଳେ ଜାନକୀବାବୁଙ୍କୁ ରାଜନୈତିକ କ୍ଷେତ୍ରରେ ସାହାଯ୍ୟ କରୁଥିଲି । ଆଉ ଯେତେବେଳେ ବିଜୁ ବାବୁଙ୍କ ଦଳକୁ ଆସିଲି ସେତେବେଳେ ତାଙ୍କ ସହିତ କାମ କରିବାକୁ ପାଇଁ ଡେଇଁ ପଡ଼ିଲି ।

ଏସବୁ ବାଦ୍ ବିଜେପି ହେଭିୱେଟ୍ ଦାମ ରାଉତ ରାମ ଓ ରାବଣ ରାଜନୀତିକୁ ଟିକେ ଭିନ୍ନ ଢ଼ଙ୍ଗରେ ବୁଝାଇଛନ୍ତି । ଆଜିକାଲି ରାଜନୀତିରେ ରାବଣ ହିଁ ରାବଣ। ଏବେ କେବଳ କ୍ଷମତା ଓ ସମ୍ପତ୍ତି ପାଇଁ ଲୋକେ ରାଜନୀତିକୁ ଆସୁଛନ୍ତି। ନିଜର ଆଚରଣ ଓ ଉଚ୍ଚାରଣକୁ ନିରୀକ୍ଷଣ କଲେ ହିଁ ସମସ୍ତେ ଜାଣିପାରିଵେ, କିଏ ଭଲ କିଏ ଭେଲ। ବିଜୁ ବାବୁଙ୍କୁ ରାମ କି ରାବଣ ଚରିତ୍ରରେ ସହ ତୁଳନା କରିବା ସମୀଚିନ ହେବନି। ସେ ଜଣେ ଉଚ୍ଚକୋଟୀର ରାଜନେତା ଓ ରାଷ୍ଟ୍ରୀୟ ଚିନ୍ତାରେ ମନୋନିବେଶ କରୁଥିଲେ କହି ରାମ-ରାବଣ ଉବାଚ ଶୁଣାଇଛନ୍ତି ଦାମ ।