ଭାରତର ସୁଇସାଇଡ ଡ୍ରୋନ୍ । ଶତ୍ରୁର ଘରେ ପଶି କରିବ ଅତର୍କିତ ଆକ୍ରମଣ, କିଛି କ୍ଷଣରେ କରିଦେବ ଛାରଖାର । ଚୀନ ସୀମାରେ ହେଲା ସଫଳ ପରୀକ୍ଷଣ ।

356

କନକ ବ୍ୟୁରୋ : ଏଣିକି ଶତ୍ରୁ ଦେଶରେ ସର୍ଜିକାଲ ଷ୍ଟ୍ରାଇକ ପାଇଁ ଭାରତୀୟ ସେନାର ବ୍ରହ୍ମାସ୍ତ୍ର ସାଜିବ ସୁଇସାଇଡ ଡ୍ରୋନ । ଶତ୍ରୁର ଘରେ ପଶିବ, ଆତ୍ମଘାତୀ ଆକ୍ରମଣରେ କିଛି ମିନିଟରେ ସବୁକିଛି ଛାରଖାର କରିଦେବ । ସବୁଠୁ ବଡ କଥା ହେଲା ଏକ ସୁରକ୍ଷିତ ସ୍ଥାନରେ ବସି ଶତ୍ରୁ ଶିବିରରେ ବିଧ୍ୱଂସୀଳୀଳା ରଚିବ ଭାରତୀୟ ସେନା । ଆଉ ସେନା ଭାଷାରେ ଏହି ଅତ୍ୟାଧୁନିକ ଡ୍ରୋନର ନାଁ ରହିଛି ଲୟଟରିଙ୍ଗ ମ୍ୟୁନିସିଅନ୍ସ । ଗତ କିଛି ତଳେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲୟଟରିଙ୍ଗ ମ୍ୟୁନିସିଅନ୍ସକୁ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ପରୀକ୍ଷଣ କରି ସାରିଛି । ଆଉ ଏହି ପରୀକ୍ଷଣ ସଫଳ ହେବା ସହ ଭାରତୀୟ ସେନାର ଶକ୍ତି ଆହୁରି ବଢିଛି । ଲଦାଖର ନୁବ୍ରା ଘାଟିରେ ଏହି ଡ୍ରୋନର ସଫଳ ପରୀକ୍ଷଣ ହୋଇଥିବା ବେଳେ ପଡୋଶୀ ଶତ୍ରୁ ଦେଶ ଗୁଡିକର ଚିନ୍ତା ବଢିଛି । ଆଉ ଏହା ପଛର ବଡ କାରଣ ହେଉଛି ଏହି ଡ୍ରୋନର ଘାତକ ଆକ୍ରମଣ ।

ଏହି ଡ୍ରୋନକୁ ନିର୍ମାଣ କରିବା ପଛର ସବୁଠୁ ବଡ କାରଣ ହେଲା, ଅନ୍ତଜାର୍ତୀୟ ଅସ୍ତ୍ରଶସ୍ତ୍ର ବଜାରରେ ଭାରତକୁ ଆତ୍ମନିର୍ଭର ରୂପେ ଛିଡା କରାଇବା । ନାଗପୁର ଓ ବାଙ୍ଗାଲୋରର ଦୁଇ କମ୍ପାନି ଏହି ମାନବ ବିହୀନ ଡ୍ରୋନ ନିର୍ମାଣ କରିଛନ୍ତି  । ଯାହାର ୩ଟି ମଡେଲ ରହିଛି । ଏଲଏମ୦, ଏଲଏମ୧ ଓ ହେକ୍ସାକପ୍ଟର । ଏଲଏମ୦ ଓ ଏଲଏମ୧ ଡ୍ରୋନ ୬୦ରୁ ୯୦ ମିନିଟ୍ ପର୍ଯ୍ୟନ୍ତ ବିନା ବାଧାରେ ଉଡିପାରିବ ।ଆଉ ୧୫ କିଲୋମିଟର ପରିଧି ମଧ୍ୟରେ ଥିବା ଟାର୍ଗେଟକୁ ବେଶ ସହଜରେ ଲକ୍ଷ୍ୟଭେଦ କରିପାରିବ । ୧ କିଲୋରୁ ୪ କିଲୋ ପର୍ଯ୍ୟନ୍ତ୍ର ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ଏହି ଡ୍ରୋନ୍ ୪୫୦୦ ମିଟର ଉପରୁ ଆକ୍ରମଣ କରିପାରେ । ଆକାଶପଥରୁ ହିଁ ଶତ୍ରୁ ଶିବିରର ଟ୍ୟାଙ୍କ, ବଙ୍କର, ଯୁଦ୍ଧ ବାହନ, ଅସ୍ତ୍ର ଡିପୋ, ସେନା ଶିବିର ଉପରେ ଅନାୟସରେ ଘାତକ ଆକ୍ରମଣ କରିପାରିବ । ଏଲଏମ୧ ଓ ଏଲଏମ୦ ଡ୍ରୋନରେ ସ୍ଥାୟୀ ଭାବେ ପଙ୍ଖ ଲଗାଯାଇଛି । ଆଉ ଏହାର ତଳପାଶ୍ୱର୍ରେ ଯେଉଁ ବିସ୍ଫୋଟକ ରଖାଯାଇଥାଏ ତାହା ଶତ୍ରୁ ଶିବିରକୁ ଧ୍ୱଂସ କରିବାକୁ ଯଥେଷ୍ଟ ।

LM0 ଡ୍ରୋନକୁ ହାତରେ କିମ୍ବା ଟ୍ରାଏପୋଡ ଦ୍ୱାରା ଉଡା ଯାଇପାରିବ । ଏହାର ଓଜନ ୬ କିଲୋଗ୍ରାମ ହୋଇଥିବା ବେଳେ ୬୦ ମିନିଟ୍ ପର୍ଯ୍ୟନ୍ତ ଏହା ଉଡିପାରେ । ୧୫ କିଲୋମିଟର ପର୍ଯର୍୍ୟନ୍ତ ଭିଡ଼ିଓ ଫୁଟେଜ ସହ ଆକ୍ରମଣ କରିବାରେ ଏହି ଡ୍ରୋନ ମହାରଥ ହାସଲ କରିଛି । ସେହିଭଳି ଏହାର ଜିପିଏସ ଟାର୍ଗେଟ ରେଞ୍ଜ ହେଉଛି ୪୫ କିଲୋମିଟର । ସବୁଠୁ ବଡ କଥା ହେଲା ଏହାର ଲ୍ୟାଣ୍ଡିଂ ହାତରେ କରାଯାଇପାରେ । ଯେମିତି ଉରୀ ଫିଲ୍ମରେ ଗରୁଡ ଡ୍ରୋନ ଦ୍ୱାରା ହୋଇଥିଲା । ଏହାସହ ପାରାସୁଟ ଦ୍ୱାରା ମଧ୍ୟ ଏହାକୁ ଲ୍ୟାଣ୍ଡିଂ କରାଯାଇପାରିବ । ଏହି ଡ୍ରୋନ ଆତ୍ମଘାତୀ ବିସ୍ଫୋରଣ ହେବା ଦ୍ୱାରା ୨୦ ମିଟର ପରିଧିର ଅଞ୍ଚଳକୁ ଧ୍ୱଂସସ୍ତୁପରେ ପରିଣତ କରିଥାଏ । ଆକ୍ରମଣ ସମୟରେ ରିୟଲ ଟାଇମ ଭିଡ଼ିଓ ଫୁଟେଜ ମଧ୍ୟ ପ୍ରଦାନ କରିଥାଏ ଏହି ଡ୍ରୋନ୍ ।

ସେହିଭଳି LM1 ଡ୍ରୋନ ୪ କିଲୋଗ୍ରାମର ବିସ୍ଫୋଟକ ଭର୍ତ୍ତି କରି ଉଡାଣ ଭରିପାରିବ । ଏହା ଟ୍ୟାଙ୍କ ଧ୍ୱଂସ, ପ୍ରତିଆକ୍ରମଣ କ୍ଷେତ୍ରରେ କାମ କରିଥାଏ । ଏହାର ୩ଟି ମୋଡ ରହିଛି । ସବୁଠୁ ବଡ କଥା ହେଉଛି ଏହା ଉଭୟ ରାତି ଓ ଦିନରେ କାମ କରିପାରିବ । ଏହାର ଓଜନ ୧୧ କିଲୋଗ୍ରାମ ହୋଇଥିବା ବେଳେ ୯୦ ମିନିଟ୍ ପର୍ଯ୍ୟନ୍ତ ଉଡିପାରେ । ଭିଡ଼ିଓ ଲିଙ୍କ ରେଞ୍ଜ ଏହାର ୨୫ କିଲୋମିଟର ରହିଥିବା ବେଳେ ଜିପିଏସ ମାଧ୍ୟମରେ ୬୦ କିଲୋମିଟର ଦୂର ଟାର୍ଗେଟକୁ ନଷ୍ଟ କରିପାରିବ ଏହି ଡ୍ରୋନ୍ ।

ହେକ୍ସାକପ୍ଟର ଯେକୌଣସି ପରିସ୍ଥିତିରେ ଉଡାଣ ଭରିପାରିବ ଓ ଲ୍ୟାଣ୍ଡିଂ କରିପାରିବ । ଏହାକୁ ଛୋଟିଆ ସ୍ଥାନରୁ ମଧ୍ୟ ଉଡାଇ ହେବ । ଏହି ଡ୍ରୋନରେ ବିଭିନ୍ନ ପ୍ରକାରର ବିସ୍ଫୋଟକ ଖଞ୍ଜା ଯାଇପାରିବ । ପାଗ ଖରାପ ଥିଲେ ମଧ୍ୟ ଏହା ଉଡାଣ ଭରିପାରିବ । ଏହାର ଓଜନ ୧୪ କିଲୋଗ୍ରାମ ହୋଇଥିବା ବେଳେ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଏହା ଉଡାଣ ଭରିପାରିବ । ଏହା ସହର, ଜଙ୍ଗଲ ଓ ଘାଟି ଅଞ୍ଚଳରେ ବେଶ ସହଜରେ ଉଡାଣ ଭରିବା ସହ ଶତ୍ରୁ ଶିବିରକୁ ନଷ୍ଟ କରିଥାଏ । ଏହି ଡ୍ରୋନ କେବଳ ଶତ୍ରୁ ଶିବିରକୁ ନଷ୍ଟ କରିବନି ବରଂ ଭାରତୀୟ ସେନାର ବଜେଟ ବୋଝକୁ ମଧ୍ୟ କମ କରିବ । କାରଣ ଇସ୍ରାଏଲ ଓ ପୋଲାଣ୍ଡ ଠାରୁ କିଣାଯାଉଥିବା ଡ୍ରୋନ ଠାରୁ ଏହା ୪୦ ପ୍ରତିଶତ ଶସ୍ତା ରହିବ ।