ଘରେ ନଗଦ ଟଙ୍କା ରଖିବା ନେଇ କଣ ରହିଛି ନିୟମ ? ଆଇନ ଉଲଙ୍ଘନ କଲେ ୧୩୭ ପ୍ରତିଶତ ପର୍ଯ୍ୟନ୍ତ ଦେବାକୁ ପଡିପାରେ ଟ୍ୟାକ୍ସ

690

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ମନରେ ଏଭଳି କିଛି ଭ୍ରାନ୍ତ ଧାରଣା ରହିଛି କି ଘରେ ନଗଦ ଟଙ୍କା ରଖିବାର ଗୋଟିଏ ସୀମା ରହିଛି । ହେଲେ ଆପଣଙ୍କୁ କହିବାକୁ ଚାହୁଁ ଯେ ଆପଣ ଯେତେ ଚାହିଁବେ ସେତେ ନଗଦ ଟଙ୍କା ଘରେ ରଖିପାରିବେ । ହେଲେ ଏହାନୁହେଁ ଯେ ଆପଣଙ୍କ ଘରେ ଆୟକର ଚଢାଉ ହେବ ନାହିଁ । ହେଲେ ଆୟକର ବିଭାଗର ଚଢାଉ ବେଳେ ଯଦି ଆପଣ ନଗଦ ଟଙ୍କାର ଅଧାର ଠିକଭାବେ ପ୍ରମାଣ କରିପାରୁଛନ୍ତି ତେବେ ଆପଣ ଯେତେ ଇଚ୍ଛା ସେତେ ନଗଦ ଟଙ୍କା ଘରେ ରଖିପାରିବେ । ଅର୍ଥାତ ଆପଣଙ୍କ ପାଖରେ ଏତେ ନଗଦ ଟଙ୍କା କେଉଁଠୁ ଆସିଲା ଓ ଏହାକୁ ନେଇ ଆପଣ ଘୋଷଣା କରିଛନ୍ତି କି ନାହିଁ ତାହା ହିଁ ମୁଖ୍ୟ କଥା । ଯଦି ଆପଣଙ୍କ ପାଖରେ ଥିବା ନଗଦ ଟଙ୍କାର ଆଇନଗତ ଆଧାର ଓ ସେ ଟଙ୍କା ଉପରେ ଆପଣ ଟ୍ୟାକ୍ସ ଦେଇଛନ୍ତି ତେବେ ଆପଣଙ୍କୁ ଡରିବାର କିଛି ନାହିଁ ।

ଯଦି ଆୟକର ବିଭାଗ ଆପଣଙ୍କ ଉତ୍ତରରେ ସନ୍ତୁଷ୍ଟ ହେଉନାହାଁନ୍ତି କିମ୍ବା ଆପଣ ନଗଦ ଟଙ୍କାର ଯେଉଁ ଆଧାର ଉପରେ ଦସ୍ତାବିଜ୍ ଦାଖଲ କରିଛନ୍ତି ସେଥିରେ କିଛି ତୃଟି ରହିଛି ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ । ଏନେଇ ଆପଣଙ୍କ ଘରୁ ମିଳିଥିବା ମୋଟ ନଗଦ ଟଙ୍କା ଉପରେ ୧୩୭ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିପାରେ ।

ସେପଟେ ବ୍ୟାଙ୍କରେ ଟଙ୍କା ରଖିବା ନେଇ ମଧ୍ୟ କିଛି ନିୟମ ରହିଛି । ଯଦି ଆପଣ ବ୍ୟାଙ୍କରେ ୨୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜମା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ୟାନକାର୍ଡ କିମ୍ବା ଆଧାରକାର୍ଡ ଦେଖାଇବାକୁ ପଡିବ । ଏସବୁ ଦେଖାଇବାରେ ଆପଣ ବିଫଳ ହେଲେ ଆପଣଙ୍କ ଉପରେ ଜରିମାନା ଲାଗିବ । ସେପଟେ ଗୋଟିଏ ବର୍ଷରେ ଯଦି ଆପଣ ବ୍ୟାଙ୍କରୁ ୧ କୋଟିରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କୁ ୨ ପ୍ରତିଶତ ଟିଡିଏସ ଦେବାକୁ ପଡିବ । ଏହାସହ ଯଦି ଆପଣ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବି ପ୍ୟାନକାର୍ଡ ଦେଖାଇବାକୁ ପଡିବ ।

ଅନ୍ୟପଟେ ଯଦି ଆପଣ ଜମି କିମ୍ବା ଘର କିଣିବା ବେଳେ ୩୦ ଲକ୍ଷରୁ ଅଧିକ ନଗଦ ଟଙ୍କା କାରବାର କରୁଛନ୍ତି ତେବେ ଆପଣଙ୍କ ଉପରେ ଯାଂଚ ବସିବ । ଆପଣ ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ନଗଦ କାରବାର କରିପାରିବେ ।