ବିଜେଡି ଟିକେଟ ପାଇଁ ୬ ମାସ ନବୀନ ନିବାସ ଧାଇଁଥିଲେ ଲେଖାଶ୍ରୀ ? ୫ ବର୍ଷ ତଳର ପୁରୁଣା ପୋଥି ଖୋଲିଲେ ସୁଲତା ।

2,319

କନକ ବ୍ୟୁରୋ : ଓଡିଶାରେ ବିଜେପିର ତୁଣ୍ଡ କୁହାଯାଉଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟାର୍ଗେଟ କରିଛି ବିଜେଡି । ଗତ କିଛି ଦିନ ହେବ ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଲେଖାଶ୍ରୀ ଯେଉଁଭଳି ବିବୃତି ରଖି ଚାଲିଛନ୍ତି ତାହାର ଜବାବ ରଖିଛି ବିଜେଡି । ଲେଖାଶ୍ରୀଙ୍କ ୫ ବର୍ଷ ତଳର ପୁରୁଣା ପୋଥି ଖୋଲିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମନଗଢା କାହାଣୀ କହି ବାରମ୍ବାର ବିଜେଡିକୁ ଟାର୍ଗେଟ କରୁଥିବା ଲେଖାଶ୍ରୀଙ୍କୁ ନେଇ ଏକ ବଡ ବୟାନ ରଖିଛନ୍ତି ସୁଲତା । ନିଜକୁ ସ୍ୱାଭିମାନୀ କହୁଥିବା ଲେଖାଶ୍ରୀଙ୍କ ରାଜନୈତିକ କ୍ୟାରିୟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ବିଜେଡି ଟିକେଟକୁ ଆଖେଇଥିଲେ ବିଜେପିର ହେଭିୱେଟ ନେତ୍ରୀ ଲେଖାଶ୍ରୀ । ବିଜେଡିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ ବିଜେପିର ଏହି ବଡ ଚେହେରା । ୨୦୧୪ରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ସରକାରୀ ଚାକିରି ଛାଡିଥିଲେ ଲେଖାଶ୍ରୀ । ସେତେବେଳେ ରାଜନୀତିରେ ଏଣ୍ଟ୍ରି ମାରିବା ପାଇଁ ବିଜେଡି ଥିଲା ଲେଖାଶ୍ରୀଙ୍କର ପ୍ରଥମ ପସନ୍ଦ । ଏପରିକି ବିଜେଡି ଟିକେଟ ପାଇବା ପାଇଁ ବାରମ୍ବାର ନବୀନ ନିବାସକୁ ଧାଉଁଥିଲେ ଲେଖାଶ୍ରୀ । ଦୀର୍ଘ ୬ ମାସ କାଳ ବିଜେଡିରେ ମିଶିବା ପାଇଁ କସରତ କରିବା ପରେ ଏଥିରେ ସଫଳ ହୋଇନଥିଲେ । ଆଉ ପରେ ବିଜେଡି ବଦଳରେ ବିଜେପିକୁ ନିଜର କରି ନେଇଥିଲେ ଲେଖାଶ୍ରୀ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ସୁଲତା ।

ରାଜନୈତିକ ମୈଦାନରେ ଲେଖାଶ୍ରୀଙ୍କ ଏଣ୍ଟ୍ରିର ଦୀର୍ଘ ୫ ବର୍ଷ ପରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ରାଜନୀତିକୁ ଉଷ୍ମ କରିଛନ୍ତି ସୁଲତା । ଏବେ କେବଳ ଗଣମାଧ୍ୟମରେ ତିଷ୍ଠି ରହିବା ପାଇଁ ଲେଖାଶ୍ରୀ ମିଥ୍ୟା ଓ ମନଗଢା କାହାଣୀର ଆଶ୍ରୟ ନେଉଛି ବୋଲି ବିଜେଡି ଅଭିଯୋଗ ଆଣିଛି । ତେବେ ଏଭଳି ଅଭିଯୋଗର ପ୍ରତିକ୍ରିୟାରେ ଲେଖାଶ୍ରୀ କହିଛନ୍ତି, ପ୍ରଥମେ ମୁଁ ଯେଉଁ ପ୍ରସଙ୍ଗ ଉଠାଇଛି ତାହାର ଜବାବ ଦିଅନ୍ତୁ ରାଜ୍ୟ ସରକାର । ଏହାପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିବେ ବୋଲି କହିଛନ୍ତି ଲେଖାଶ୍ରୀ ।