ସାହସୀ କଳ୍ପନାଙ୍କୁ ଶେଷ ସଲାମ୍ । ସ୍ୱର୍ଗଦ୍ୱାରରେ ପାହାଡ଼ ରାଣୀଙ୍କ ଶେଷକୃତ୍ୟ, କାନ୍ଦି କାନ୍ଦି କଳ୍ପନାଙ୍କୁ ବିଦାୟ ଦେଲା ଓଡ଼ିଶା ।

145

କନକ ବ୍ୟୁରୋ : ଅଶ୍ରୁଧାରରେ ପାହାଡ଼ ରାଣୀଙ୍କୁ ବିଦାୟ ଦେଲା ଓଡ଼ିଶା । ସ୍ୱର୍ଗଦ୍ୱାରରେ ଶେଷ ହେଲା କଳ୍ପନା ଦାସଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହୋଇଛନ୍ତି ଏଭରେଷ୍ଟ ବିଜୟିନୀ କଳ୍ପନା ଦାସ । ଏହି ବୀର ଓଡିଆ ଝିଅଙ୍କୁ ଝୁରୁଛି ସାରା ଭାରତ । ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ ୨୩ ତାରିଖରେ କଳ୍ପନା ଏଭରେଷ୍ଟ ଶିଖରରୁ ଫେରିବା ବେଳେ ପ୍ରାଣ ହରାଇଥିଲେ ।

ଆଜି ସକାଳେ କଳ୍ପନାଙ୍କ ମୃତଦେହ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିଥିଲା । ମୃତଦେହକୁ ଦେଖିବା ପାଇଁ ତାଙ୍କ ମାଙ୍କ ପାଖରେ ସତେ ଯେମିତି ଜୁ ନଥିଲା । କାନ୍ଦି କାନ୍ଦି ଭାଙ୍ଗି ପଡୁଥିଲେ କଳ୍ପନାଙ୍କ ମା । କେମିତି ଅବା ନଭାଙ୍ଗିବେ, ଯେଉଁ ଝିଅ, ରାଜ୍ୟ ପାଇଁ, ଦେଶ ପାଇଁ ଏବଂ ଏହି ମାଟି ମା ପାଇଁ ଏତେ ସୁନାମ ଅର୍ଜନ କରିଛି ତାକୁ ହରେଇ କୋଉ ମା କଣ ଚୁପ ରହିପାରିବ ?

ଭୁବନେଶ୍ୱର ବିମାନ ବନ୍ଦରରେ କଳ୍ପନାଙ୍କ ମୃତଦେହ ପହଂଚିବା ପରେ ଶେଷଦର୍ଶନ କରିବା ପାଇଁ ଜମିଥିଲା ପ୍ରଶାସନିକ ଅଧିକାରୀ, କ୍ରୀଡାବିତ, ନେତା ଓ ମନ୍ତ୍ରୀଙ୍କ ଭିଡ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା, ଏ ମୃତ୍ୟୁ ବ୍ୟର୍ଥ ଯିବନି ।

ବିମାନବନ୍ଦରରୁ ମୃତଦେହକୁ ନିଆଯାଇଥିଲା କଳିଙ୍ଗ ଷ୍ଟାଡିୟମ । କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ଏବଂ ସଚିବଙ୍କ ସମେତ କ୍ରୀଡ଼ା ବିଭାଗର ଅନେକ ଅଧିକାରୀ, କ୍ରୀଡ଼ାବିତ ଏବଂ ସର୍ବସାଧାରଣ କଳ୍ପନାଙ୍କ ଶେଷ ଦର୍ଶନ କରିଥିଲେ । ଫୁଲତୋଡା ଦେଇ ଜଣାଇଥିଲେ ଶେଷ ଶ୍ରଦ୍ଧାଞ୍ଜଳୀ ।

ଆଉ ଯେତେବେଳେ କଳିଙ୍ଗ ଷ୍ଟାଡିୟମରୁ ଜନ୍ମମାଟି ଢେଙ୍କାନାଳରେ ପହଂଚିଥିଲା କଳ୍ପନାଙ୍କ ମୃତଦେହ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ଲୋକାରଣ୍ୟ ହୋଇଥିଲା ଢେଙ୍କାନାଳର ମିନି ଷ୍ଟାଡିୟମ । ପିଲାଠୁ ବୁଢା ସମସ୍ତେ କଳ୍ପନାଙ୍କୁ ଦେଇଥିଲେ ଅନ୍ତିମ ବିଦାୟ । ଏହା ପରେ ଢେଙ୍କାନାଳରୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଥିଲା କଳ୍ପନାଙ୍କ ମରଶରୀରକୁ । ଆଉ ସ୍ୱର୍ଗଦ୍ୱାରରେ କଳ୍ପନାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ ୨୩ ତାରିଖରେ କଳ୍ପନା ଏଭରେଷ୍ଟ ଶିଖରରୁ ଫେରିବା ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ କଳ୍ପନାଙ୍କ ମର ଶରୀରକୁ ଏଭରେଷ୍ଟର ବାଲକୋନୀ ଅଂଚଳରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଉଦ୍ଧାର କରିଥିଲେ । କାଠମାଣ୍ଡୁ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀର ବ୍ୟବଚ୍ଛେଦ ପରେ ଆନୁସଙ୍ଗିକ କାଗଜପତ୍ର କାମ ଶେଷ କରି ଶନିବାର ଦିଲ୍ଲୀ ଅଣାଯାଇଥିଲା । ଆଜି ସକାଳେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱରକୁ ଅଣାଯାଇଥିଲା ତାଙ୍କ ପାର୍ଥିବ ଶରୀର ।