ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବାଂଲାଦେଶ । କ୍ରମାଗତ ଦ୍ୱିତୀୟ ପରାଜୟ ସହ ବ୍ୟାକଫୁଟରେ ସାଉଥ ଆଫ୍ରିକା ।

180

କନକ ବ୍ୟୁରୋ : ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ବାଂଲାଦେଶ । ବିଶ୍ୱକପରେ ଆଜି ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ବାଂଲାଦେଶ ଏବଂ ଦକ୍ଷିଣଆଫ୍ରିକା ମୁହାଁମୁହିଁ ହୋଇଥିଲେ । ପ୍ରଥମେ ଟସ୍ ଜିତି ଦକ୍ଷିଣଆଫ୍ରିକା ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୩୦ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୩୦୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ପ୍ରଥମରୁ ହିଁ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା ବାଂଲାଦେଶ । ଦଳ ପକ୍ଷରୁ ସକିବ ଅଲ ହସନ ୭୫ ଏବଂ ମୁସଫିକର ରହିମ୍ ୭୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିପରି ସୌମ୍ୟ ସରକାର ୪୨ ରନ୍ ଏବଂ ମହମ୍ମଦୁଲ୍ଲା ୪୬ ରନର ବଡ ଇନିଂସ ଖେଳିଥିଲେ ।

ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ସୁଦ୍ଧା ବିଜୟ ହାସଲ କରିପାରିନାହିଁ । ଦଳ ପକ୍ଷରୁ ଅଧିନାୟକ ଫାଫ୍ ଡୁ ପ୍ଲେସିସ ୬୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିପରି ଆଇଡେନ୍ ମର୍କରମ ୪୫, ଡେଭିଡ୍ ମିଲର ୩୮, ରାସିଭ୍ ଡୁସେନ୍ ୪୧, ଜେପି ଡୁମିନି ୪୫ ରନର ଭଲ ଇନିଂସ ଖେଳିଥିଲେ ସୁଦ୍ଧା ଦଳକୁ ବିଜୟୀ କରିବାରେ ସକ୍ଷମ ହୋଇପାରିନଥିଲେ ।