ଓଡିଶାକୁ କେବେ ଆସିବ ମୌସୁମୀ? ସମୟ ଗଡୁଛି ହେଲେ ବର୍ଷା ହେଉନାହିଁ

ଦକ୍ଷିଣ-ପଶ୍ଚିମ ମୌସୁମୀ କେବେ କେରଳରେ ପହଞ୍ଚିବ?

161
କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ କେବେ କେରଳରେ ପହଞ୍ଚିବ? ଓଡ଼ିଶାକୁ କେବେ ଆସିବ? ଭଲ ବର୍ଷା ହେବ ନା ନାହିଁ? ଭାରତରେ ପହଞ୍ଚିବାର ନିର୍ଦ୍ଧାରିତ ସମୟ(ଜୁନ୍ ପହିଲା) ଗଡ଼ି ଯାଉଥିଲେ ମଧ୍ୟ ମୌସୁମୀ ଧରାଛୁଆଁ ଦେଉନି। ଏଭଳି ସମୟରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ନିର୍ଦ୍ଦିଷ୍ଟ ଦିନ ଆକଳନ କରିପାରୁନି। ଜୁନ୍ ୫ରୁ ୭ ମଧ୍ୟରେ ମୌସୁମୀ କେରଳ ଛୁଇଁବାର ପୂର୍ବାନୁମାନ କରିଛି। ତେବେ ୬ ତାରିଖ ବେଳକୁ ଆରବସାଗର ଓ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ପୂର୍ବାନୁମାନ ହେଉଛି ଯେ ମୌସୁମୀ ବାୟୁ ଜୁନ୍ ୫ କିମ୍ବା ୬ ତାରିଖରେ କେରଳ ଛୁଇଁବ। ଏହାର ୬ ଦିନ ପରେ ଅର୍ଥାତ୍ ୧୨ ତାରିଖ ବେଳକୁ ଓଡ଼ିଶାରେ ମୌସୁମୀ ପହଞ୍ଚିବ। ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଏହି ସମୟ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଜୁନ୍ ୬ରେ କେରଳ ଉପକୂଳ ସଂଲଗ୍ନ ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଦକ୍ଷିଣ ପଶ୍ଚିମ ବାୟୁର ଆରବୀୟ ଶାଖା ସକ୍ରିୟ ହେବ। ତାହା କ୍ରମଶଃ ଉତ୍ତର ଆଡ଼କୁ ଗତି କରିବ। ଫଳରେ କେରଳ ଉପକୂଳ ସମେତ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପକୂଳ ଦେଇ ଗୁଜୁରାଟ ଆଡ଼େ ଗତି କରିବ। ତେବେ ଆଭ୍ୟନ୍ତରୀଣ ଦକ୍ଷିଣ ଭାରତରେ ବର୍ଷା କରାଇବ ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ବଙ୍ଗୋପସାଗରୀୟ ଶାଖା ସକ୍ରିୟ ରହିଥିବାରୁ ପୂର୍ବ ବଙ୍ଗୋପସାଗର ଓ ସଂଳଗ୍ନ ଦେଶଗୁଡ଼ିକରେ ବର୍ଷା ହେଉଛି। ତାହା ଦେଶର ପୂର୍ବ ଉପକୂଳରେ ବର୍ଷା କରାଇବାର ସମ୍ଭାବନା କମ୍।
୬ ତାରିଖ ବେଳକୁ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତାହାର ପ୍ରଭାବ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପରେ ପଡ଼ିବ। ଏହାଦ୍ବାରା ଓଡ଼ିଶାରେ ୯ ଓ ୧୦ ତାରିଖରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପ ବର୍ଷା ହେବ। ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ। ଲଘୁଚାପଜନିତ ବର୍ଷା ମୌସୁମୀ ବର୍ଷାର ଏକ ଅଙ୍ଗ ହୋଇଥିବାରୁ ଓଡ଼ିଶାରେ ହେବାକୁ ଥିବା ବର୍ଷାକୁ ମୌସୁମୀ ବର୍ଷା କୁହାଯାଇପାରେ। ଯଦି ଏପରି ହୁଏ ତେବେ ଏଥର ଓଡ଼ିଶାର ଉତ୍ତର ଆଡ଼ୁ ମୌସୁମୀ ବର୍ଷା ହେବ। ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ କିମ୍ବା ଉପକୂଳ ଓଡ଼ିଶାରୁ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। ରାଜ୍ୟରେ ଦୁଇ ଦିନ ବର୍ଷା ହେବା ପରେ ଛାଡ଼ିଯିବାର ସମ୍ଭାବନା ଅଧିକ ରହିବ ବୋଲି ସେ କହିଛନ୍ତି।