ଖବର ବାଜିଲା, ଧାରଣା ବଦଳିଲା! ବସରେ ମହିଳା ବନିଲେ ପ୍ରଥମ ଯାତ୍ରୀ

363

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ହେଲା କି ଅନ୍ତ? ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବସରେ ମହିଳା ବନିଲେ ପ୍ରଥମ ଯାତ୍ରୀ । କଟକରେ ଜଣେ ମହିଳାଙ୍କୁ ପ୍ରଥମେ ଚଢାଇଛନ୍ତି ବସର କଣ୍ଡକ୍ଟର । ଗୋଟିଏ ଦିନରେ ହୁଏତ ବର୍ଷବର୍ଷ ଧରି ରହିଥିବା ଭ୍ରାନ୍ତ ଧାରଣା ପରିବର୍ତନ କରିବା ସମ୍ଭବ ନୁହେଁ । କିନ୍ତୁ ପରିବର୍ତନ ଏଇଠୁ ଆରମ୍ଭ ହୋଇଛି । କାରଣ ମହିଳାଙ୍କ ପ୍ରତି ଭେଦଭାବ କଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ରାଜ୍ୟ ପରିବହନ କର୍ତୃପକ୍ଷ । ଏନେଇ ଘରୋଇ ବସ ମାଲିକ ସଂଘକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସରେ ଚଢିବାକୁ ବାରଣ କଲେ ଏମଭିଆଇ ଆକ୍ଟ ଅନୁସାରେ ଇ-ଚାଲାଣ କାଟିବାକୁ ଦିଆଯାଇଛି ଧମକ । ମହିଳା ଯାତ୍ରୀ ମଧ୍ୟ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ଅନ୍ଧବିଶ୍ୱାସରେ ବିପଦ ଆଶଙ୍କା କରି ପ୍ରଥମେ ମହିଳା ଯାତ୍ରୀଙ୍କୁ ଚଢିବାକୁ ଦିଅନ୍ତି ନାହିଁ ବସ୍ କର୍ମଚାରୀ । ପ୍ରଥମେ କିଏ ଜଣେ ପୁରୁଷ ଚଢ଼ିବା ପରେ ହିଁ ମହିଳା ଯାତ୍ରୀମାନେ ବସକୁ ଉଠନ୍ତି । ଏଭଳି ଭେଦଭାବ ସପକ୍ଷରେ ଅନେକ ଅଦ୍ଭୁତ ଓ ଅନ୍ଧବିଶ୍ୱାସପୂର୍ଣ୍ଣ ଯୁକ୍ତି କରନ୍ତି । କିଏ କୁହେ, ଅଶୁଭ ହୁଏ । ଆଉ କିଏ କୁହେ ଭଲ ବ୍ୟବସାୟ ହୁଏନି । ଏମିତି କି କିଏ କିଏ ଅଘଟଣର ବି ଆଶଙ୍କା କରନ୍ତି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏ ବାବଦରେ ଜଣାନଥିବା ସଫେଇ ରଖିଛନ୍ତି ଘରୋଇ ବସ ମାଲିକ ସଂଘର ମୁଖପାତ୍ର । ଏପରିକି ଅଭିଯୋଗ କରି ଘଟଣା ସାମ୍ନାକୁ ଆସିଥିବା ମହିଳାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମହିଳାଙ୍କୁ ଅପମାନିତ କରିବା ଠିକ ନୁହେଁ । ତେଣୁ ଏଭଳି ଅନ୍ଧବିଶ୍ୱାସକୁ ନମାନିବାକୁ ବସ କର୍ମଚାରୀଙ୍କୁ କୁହାଯିବ ଓ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ଘରୋଇ ବସ ମାଲିକ ସଂଘ । ରାଜ୍ୟର ସମସ୍ତ ୭୦ ବସ ଆସୋସିଏନକୁ ଏନେଇ ସର୍କୁଲାର ଜାରି କରିବାକୁ ମଧ୍ୟ ନିଷ୍ପତି ହୋଇଛି ।