ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଠକେଇ ମାମଲା : ବିହାରରୁ ୩ ଠକଙ୍କୁ ଗିରଫ କଲା କୋରାପୁଟ ପୋଲିସ

148

କନକ ବ୍ୟୁରୋ : କୋରାପୁଟ ସହରର ଜଣେ ବ୍ୟବସାୟୀଙ୍କଠାରୁ ଅନଲାଇନରେ ୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୩ ଜଣ ବିହାରୀ ଯୁବକ ଗିରଫ । ସେମାନଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ୧୪ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍, ୩ଟି ପାସବୁକ୍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ସେମାନେ କାହାକୁ କେତେ ଠକିଛନ୍ତି, ତାର ହିସାବ ବ୍ୟାଙ୍କ ଜମା ଖାତା ଗୁଡ଼ିକରେ ରହିଛି ।

ସେମାନେ ବିଭିନ୍ନ ସ୍ଥାନରୁ ୪ କୋଟି ଟଙ୍କା ଠକିଥିବା ପୋଲିସ ତଦନ୍ତର ଜାଣିବାକୁ ପାଇଛି । କୋରାପୁଟ ଜିଲ୍ଲାରେ ପ୍ରଥମ କରି ଜଣେ ବ୍ୟବସାୟୀଙ୍କୁ ଠକି ଧରା ପଡ଼ିଛନ୍ତି । ଏକ ନିର୍ଦ୍ଦିଷ୍ଟ ବ୍ୟବସାୟ କରିବା ପାଇଁ ବ୍ୟବସାୟୀଙ୍କୁ ଅନଲାଇନରେ ଲୋଭନୀୟ ଅଫର ଦେଇଥିଲେ । କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ପାଇବା ଆଶାରେ ସେ ବ୍ୟବସାୟ ପାଇଁ ଆଗ୍ରହ ଥିବା କହିଥିଲେ । ଏହା ପରେ ଜଣେ ବ୍ୟକ୍ତି ତାଙ୍କୁ ଯୋଗାଯୋଗ କରି ୪ ଲକ୍ଷ ଟଙ୍କା ଦେବାକୁ କହିଥିଲେ ।

ଅର୍ଥ ଲୋଭରେ ବ୍ୟକ୍ତି ଜଣଙ୍କ ଏକ ବ୍ୟାଙ୍କ ଆକାଉଣ୍ଟକୁ ୪ ଲକ୍ଷ ଟଙ୍କା ପଠାଇଥିଲେ । ଏହା ପରେ ସେହି ବ୍ୟକ୍ତି ଆଉ ଧରାଛୁଆଁ ଦେଇନଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବିହାରର ବୋଲି ଜାଣିବା ପରେ ବିହାର ଯାଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତାକୁ ପଚରାଉଚରା ପରେ ଅନ୍ୟ ସହଯୋଗୀଙ୍କୁ ଧରିଛି ପୋଲିସ ।