ବିରାଟଙ୍କୁ ୪୨, ବୁମରାଙ୍କୁ ୩୫ କୋଟି ମିଳିବା କଥା! ଆଇପିଏଲ ନିଲାମୀ ପରେ କାହିଁକି ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର?

323

କନକ ବ୍ୟୁରୋ : ଆଇପିଏଲ ନିଲାମୀରେ ଅଷ୍ଟ୍ରେଲିଆ କ୍ରିକେଟର ରେକର୍ଡ ଦରରେ ବିକ୍ରି ହୋଇଛନ୍ତି । ଦୀର୍ଘଦିନ ପରେ ଆଇପିଏଲକୁ ଫେରିଥିବା ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି କେକେଆର । ସେହିଭଳି ପାଟ କମିନ୍ସଙ୍କୁ ୨୦.୫୦ କୋଟିରେ କିଣିଛି ହାଇଦ୍ରାବାଦ । ଏହାସହ ଆଇପିଏଲ ଇତିହାସରେ ସର୍ବାଧିକ ଦରରେ ବିକ୍ରି ହୋଇଥିବା ଖେଳାଳୀ ପାଲଟିଛନ୍ତି ଷ୍ଟାର୍କ । ତେବେ ଅଷ୍ଟ୍ରେଲିଆ କ୍ରିକେଟର ଅଧିକ ଦରରେ ବିକ୍ରି ହେବାକୁ ନେଇ ଖୁସି ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ନିଜର ୟୁଟ୍ୟୁବ ଚ୍ୟାନେଲରେ ଆକାଶ କହିଛନ୍ତି, ଏହାଦ୍ୱାରା ଭାରତୀୟ କ୍ରିକେଟରଙ୍କୁ ଧୋକା ଦିଆଯାଉଛି ।

ଆକାଶ କହିଛନ୍ତି, ଯଦି ଷ୍ଟାର୍କ ୧୪ଟି ମ୍ୟାଚ୍ ଖେଳିବା ସହ ନିଜର ଓଭର କୋଟା ପୂରା କରନ୍ତି ତେବେ ପ୍ରତି ବଲ ପିଛା ୭.୬୦ ଲକ୍ଷ ଟଙ୍କା ପାଇବେ । କିନ୍ତୁ ସବୁଠୁ ବଡ ପ୍ରଶ୍ନ, ଏବେ ବିଶ୍ୱ କ୍ରିକେଟର ନମ୍ବର-୧ ବୋଲର କିଏ? ଆଇପିଏଲରେ ଶ୍ରେଷ୍ଠ ବୋଲର କିଏ? ଭାରତୀୟ ବୋଲର ଯଶପ୍ରୀତ ବୁମରା । ତେବେ ଆଇପିଏଲରେ ବୁମରାଙ୍କୁ ମାତ୍ର ୧୨ କୋଟି ଟଙ୍କା ମିଳୁଛି । କିନ୍ତୁ ବୁମରାଙ୍କ ତୁଳନାରେ ଷ୍ଟାର୍କଙ୍କୁ ୨ ଗୁଣା ଅଧିକ ଟଙ୍କା ମିଳିବ । ଯାହା ସମ୍ପୂର୍ଣ୍ଣ ଅନୁଚିତ୍ । କାରଣ ଷ୍ଟାର୍କ ୨୦୧୫ ପରେ ଆଇପିଏଲ ଖେଳିନାହାନ୍ତି । ସେହିଭଳି ଟି-୨୦ ଫର୍ମାଟରେ କମିନ୍ସଙ୍କ ରେକର୍ଡ ସେତେଟା ଉତ୍ସାହ ଜନକ ନୁହେଁ ।

ଆକାଶ ନିଜର ବୟାନରେ ଏହା ମଧ୍ୟ କହିଛନ୍ତି, ବୁମରା ଓ କୋହଲି ଯଦି ନିଜକୁ ଟିମରୁ ରିଲିଜ କରିବାକୁ ଫ୍ରାଞ୍ଚାଇଜକୁ କୁହନ୍ତି ଏବଂ ମହାନିଲାମୀରେ ସାମିଲ ହୁଅନ୍ତି ତେବେ ତାଙ୍କର ମୂଲ୍ୟ କେତେ ହେବ? ଯଦି ଷ୍ଟାର୍କ ପାଖାପାଖି ୨୫ କୋଟି ଟଙ୍କାରେ ବିକ୍ରି ହୋଇପାରୁଛନ୍ତି ତେବେ ବିରାଟ କୋହଲି ଓ ବୁମରାଙ୍କୁ ଯଥାକ୍ରମେ ୪୨ ଓ ୩୫ କୋଟି ଟଙ୍କାରେ ଫ୍ରାଞ୍ଚାଇଜ କିଣିବେ । ରିଲିଜ ନ ହେବା କାରଣରୁ ଯଦି ଭାରତୀୟ କ୍ରିକେଟରଙ୍କୁ ଏତେ ଟଙ୍କା ପାରିଶ୍ରମିକ ମିଳୁନାହିଁ ତେବେ ଏହା ଅନୁଚିତ୍ ହେଉଛି ।

ଭାରତୀୟ ଖେଳାଳୀ ରିଲିଜ ନ ହେବାରୁ କମ ପାରିଶ୍ରମିକ ପାଇବା ଓ ବିଦେଶୀ ଖେଳାଳୀ ମିନି ନିଲାମୀରେ ସାମିଲ ହୋଇ ଅଧିକ ଟଙ୍କା ହାତେଇବା ସମସ୍ୟାର ସମାଧାନ ପାଇଁ ମଧ୍ୟ ବାଟ କାଢିଛନ୍ତି ଆକାଶ । ଏଭଳି ତାରତ୍ୟମରୁ ବଞ୍ଚିବାକୁ ଫ୍ରାଞ୍ଚାଇଜର ମୋଟ ନିଲାମୀ ଟଙ୍କାକୁ ଭାରତୀୟ ଓ ବିଦେଶୀ ଖେଳାଳୀଙ୍କ ପାଇଁ ଭାଗ କରିଦେବା ଆବଶ୍ୟକ । ଯଦି ଫ୍ରାଞ୍ଚାଇଜକୁ ନିଲାମୀରେ ୨୦୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଉଛି ତେବେ ସେଥିରୁ ୧୫୦ କିମ୍ବା ୧୭୫ କୋଟି ଭାରତୀୟ ଖେଳାଳୀଙ୍କ ପାଇଁ ରଖାଯାଉ ଏବଂ ବଳକା ୨୫ରୁ ୫୦ କୋଟି ବିଦେଶୀ ଖେଳାଳୀଙ୍କୁ କିଣିବାକୁ ରଖାଯାଉ । ଯାହାଦ୍ୱାରା ଭାରତୀୟ ଓ ବିଦେଶୀ ଖେଳାଳୀଙ୍କ ମଧ୍ୟରେ ପାରିଶ୍ରମିକକୁ ନେଇ ଯେଉଁ ତାରତ୍ୟମ ଦେଖାଦେଉଛି ତାହା ଦୂର ହେବ । ଯେହେତୁ ଆଇପିଏଲ ଭାରତୀୟ ଟୁର୍ଣ୍ଣାମେଣ୍ଟ, ତେଣୁ ନିଲାମୀରେ ଭାରତୀୟ ଖେଳାଳୀଙ୍କ ଉପରେ ଅଧିକ ଟଙ୍କା ଖର୍ଚ୍ଚ ହେବା ଉଚିତ୍ ବୋଲି କହିଛନ୍ତି ଆକାଶ ଚୋପ୍ରା । ଆକାଶଙ୍କ ଭଳି ଦିନେଶ କାର୍ତ୍ତିକ ମଧ୍ୟ ଆଇପିଏଲ ନିଲାମୀ ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।