୭ ବର୍ଷ ପରେ ମାଆ ପାଖକୁ ଆସିଥିଲା ପୁଅ । ହତାର ହାତକଡି ପକାଇ ଅପରାଧି ପୁଅକୁ ଆଣିଥିଲା ଖଲ୍ଲିକୋଟ ପୁଲିସ

1,158

କନକ ବ୍ୟୁରୋ : ଜଣେ ମା’ ଚାହେଁ ନିଜ ପିଲା ଭଲ ମଣିଷଟି ହେଉ । କିନ୍ତୁ ପୁଅଟି ପରିସ୍ଥିତିରେ ପଡି ହେଉ କିମ୍ବା କୁସଙ୍ଗରେ ପଡି ଅବାଟକୁ ଚାଲି ଯାଏ । ସେତେବେଳେ ମା’ର ଛାତି ଫାଟି ଯାଏ । ଆଖିରୁ ଧାର ଧାର ଲୁହ ବହିଯାଏ । ଜନ୍ମକଲା ପିଲା ପାଇଁ ମାଆ ସବୁ ବେଳେ ଦୁଃଖ କରେ । ସେମିତି କିଛି ଦୁଃଖରେ ଭାଙ୍ଗି ପଡିଛନ୍ତି ଗଂଜାମ ଜିଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ମାଣିକ୍ୟପୁର ଗାଁର ଏହି ମାଆ । ଦୀର୍ଘ ବର୍ଷର ଲୁଚକାଳି ପରେ ତାଙ୍କ ପାଖକୁ ଫେରିଛି । ପୁଅ ହାତରେ ହାତକଡି ପକାଇ ମାଆ ପାଖକୁ ଆଣିଛି ଖଲ୍ଲିକୋଟ ପୁଲିସ ।

୧୫ରୁ ଅଧିକ ଅପରାଧିକ ମାମଲାରେ ସଂପୃକ୍ତ ଥାଇ ୭ ବର୍ଷ ଧରି ଫେରାର ଥିବା ଅପରାଧି ବିଭୁ ଜେନା ଓ ତାର ଦୁଇ ସହେଯାଗୀଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ବିଭୁଙ୍କୁ ତାଙ୍କ ଘରକୁ ଆଣିଥିଲା ପୁଲିସ । ସେତେବେଳେ ଘର ବାରଣ୍ଡାରେ ବସିଥିବା ବିଭୁ ମା’ ହଠାତ୍ ପୁଅକୁ ଚିହ୍ନିପାରିନଥିଲେ । କାରଣ ୨୦୧୫ରେ ଭୁବନେଶ୍ୱର ପୁଲିସର ଏନକାଉଂଟରରେ ବିଭୁର ଡାହାଣ ଗୋଡ କଟି ଯିବା ଦିନଠୁ ସେ ଆଉ ଗାଁକୁ ଆସିନି । ତେଣୁ ପୋଲିସ ସହିତ ବିଭୁକୁ ଦେଖି ଚିହ୍ନି ପାରିନଥିଲେ ମା’ । ପୁଲିସ ବିଭୁର ପରିଚୟ ଦେବା ପରେ ଭୋ ଭୋ କାନ୍ଦିଥିଲେ ମା’ । ଧନରେ ତୁ କାହିଁକି ଏମିତି ହେଲୁରେ, ମୋର ଶେଷ ସମୟରେ ତୁ ମୋତେ କାନ୍ଧ ଦେବୁ, ଏବେ ସୁଧରି ଯା’ରେ ପୁଅ, କହି ବାହୁନି କାନ୍ଦିଥିଲେ ମାଆ ।

ମାଆ-ପୁଅଙ୍କ ଆବେଗ ଭରା କିଛି ସମୟରେ ଭେଟଘାଟ ପରେ ବିଭୁ ଓ ତା ୨ ସହଯୋଗୀଙ୍କୁ ଚଲାଇ ଚଲାଇ ଖଲିକୋଟ ବଜାର ବୁଲାଇଥିଲା ପୁଲିସ । ଗାଁ ଓ ବଜାର ବୁଲିବା ପରେ ଅଭିଯୁକ୍ତଙ୍କୁ କାର୍ଟ ଚାଲାଣ କରାଯାଇଛି ।