ପ୍ରତିଶ୍ରୁତିର ଦେଢ଼ ବର୍ଷ ପରେ ବି ୟୁଜିସି ତାଲିକା ଭୁକ୍ତ ହୋଇପାରିଲା ନାହିଁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ । ଚିନ୍ତାରେ ପିଜି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ

ପାସ ହେଲା କରିବା ପରେ ସାଟିଫିକେଟର ମୂଲ୍ୟ ରହିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ

95

କନକ ବ୍ୟୁରୋ: ପ୍ରତିଶ୍ରୁତିକୁ ଦେଢ଼ ବର୍ଷ ପୁରିଲାଣି । ଏ ପର୍ଯ୍ୟନ୍ତ ୟୁଜିସି ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ତାଲିକା ଭୁକ୍ତ ହୋଇନାହିଁ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ । ଯାହାକୁ ନେଇ ଚିନ୍ତାରେ ପିଜି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ । ବ୍ରହ୍ମପୁର ସହରର ପ୍ରମୁଖ ମହାବିଦ୍ୟାଳୟ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟରେ ପରିଣତ ହେବା ନେଇ ରାଜ୍ୟ ସରକାରଙ୍କ ଘୋଷଣାକୁ ଦେଢବର୍ଷ ବିତିଗଲାଣି,ହେଲେ କାର୍ଯ୍ୟ ଶୂନ୍ୟ । ଏନେଇ ଫେବ୍ରୁଆରୀ ୯ ତାରିଖରେ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ୟୁଜିସି ସଚିବଙ୍କୁ ପତ୍ର ଲେଖି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

୨୦୨୧ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ଠାରେ ଥିବା ଦକ୍ଷିଣ ଓଡିଶାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦେଢବର୍ଷ ବିତିଗଲାଣି ଏଯାବତ ଆବଶ୍ୟକ ଭିତିଭୂମି ଉପଲବ୍ଧ ହୋଇପାରିନାହିଁ । ପିଜି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ସରିବାକୁ ଆସିଲାଣି । ଯେହେତୁ ଏହା ୟୁଜିସିର ତାଲିକା ଭୁକ୍ତ ହୋଇପାରିନାହିଁ, ଏବେ ଯେଉଁ ଛାତ୍ରଛାତ୍ରୀ ପାସ କରିବେ, ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯିବାକୁ ଥିବା ସାର୍ଟିଫିକେଟରେ ନିଯୁକ୍ତି ମିଳିବ କି ନାହିଁ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।