ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା! ଡାକ୍ତର ନୁହେଁ, ଫାର୍ମାସିଷ୍ଟ ହାତରେ ବନ୍ଧା ରୋଗୀଙ୍କ ଭାଗ୍ୟ

55

କନକ ବ୍ୟୁରୋ : ଗାଁରୁ ଆରମ୍ଭ କରି ସହର, ସମସ୍ତଙ୍କୁ ସୁବିଧାରେ ମିଳିବ ସ୍ୱାସ୍ଥ୍ୟ ସେବା । ଏହି ନାରାରେ କୋଟି କୋଟି ଟଙ୍କାର ଯୋଜନା କରାଯାଉଛି । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ଗୋଟିଏ କି ୨ଟି ନୁହେଁ କେନ୍ଦୁଝର ପାଟଣା ବ୍ଲକର ୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ହେଲେ ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ହାତରେ ବନ୍ଧାହୋଇ ରହିଛି ରୋଗୀଙ୍କ ଭାଗ୍ୟ ।

ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନୁହେଁ ବରଂ ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ପାଟଣା ବ୍ଲକର ତୁରୁମୁଙ୍ଗା, ରାଜନଗର, ଖିରେଇଟାଙ୍ଗିରି ଏବଂ କେନ୍ଦେଇପଶିରେ ଥିବା ୪ଟି ସ୍ୱାସ୍ଥ୍ୟ କେନ୍ଦ୍ର । ତୁରୁମୁଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର ୪୦ହଜାରରୁ ଅଧିକ ଲୋକ ନିର୍ଭରଶୀଳ । ଅପରପକ୍ଷରେ ଡାକ୍ତରଖାନାରେ ୨ଜଣ ଡାକ୍ତ ଥିବାବେଳେ ଉଚ୍ଚଶିକ୍ଷା ପାଇଁ ଉଭୟ ଦିର୍ଘ ମାସ ବାହାରେ ଅଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରଟି ଏବେ ଜଣେ ମାତ୍ର ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

 

ଡାକ୍ତର ନଥବାରୁ ନିଜ ସାମର୍ଥ୍ୟ ଅନୁସାରେ ରୋଗୀଙ୍କ ଚିକିତ୍ସା କରୁଥିବା ଫାର୍ମାସିଷ୍ଟ କହିଛନ୍ତି । ଅପରପକ୍ଷେ ସାରା ରାଜ୍ୟରେ ଡାକ୍ତର ଅଭାବ ଯୋଗୁଁ ଜିଲ୍ଲାରେ ମଧ୍ୟ ଡାକ୍ତରୀ ପଦବୀ ଖାଲି ପଡିଛି । ଏବଂ ନୂଆ ଡାକ୍ତର ନିଯୁକ୍ତି ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଯୋଗାଇ ଦିଆଯିବ ବୋଲି ସିଡିଏମଓ କହିଛନ୍ତି । ଗାଁଠୁ ସହର ସବୁଠି ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଯୋଜନା ଚାଲିଥିବା ବେଳେ ତୃଣମୂଳ ସ୍ତରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ।