ରାୟଗଡା କାଶୀପୁରରେ କଲବଲ କରୁଛି କଲେରା : ଗତ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁସଂଖ୍ୟା ୧୨ ଛୁଇଁଲା

60

କନକ ବ୍ୟୁରୋ : କାଶୀପୁର ଟିକିରି ଅଞ୍ଚଳରେ କଲେରା ତା’ର କରାଳ ରୂପ ଦେଖାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଉପରେ ରୋକ ଲାଗିପାରୁନାହିଁ । ଗତ ୨୪ ଘଂଟାରେ କାଶୀପୁର ଅଂଚଳରେ ୩ଜଣ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣଙ୍କ ଡାଇରିଆରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପ୍ରଶାସନ । ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୨ ଛୁଇଁଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ରେ ପହଞ୍ଚିଛି ।

ଟିକିରି ପଞ୍ଚାୟତରେ ଜାମୁଗୁଡ଼ା ଗାଁର ୫୬ ବର୍ଷିୟା ମହିଳା ସୁନି ମାଝୀ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ପହଂଚିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ଠାରୁ ଔଷଧ ଖାଇଥିଲେ ସୁନି ମାଝି । ବୁଧବାର ତାଙ୍କୁ ଅଟୋ ଯୋଗେ ଡାକ୍ତରଖାନା ନିଆଯିବାକୁ ଉଦ୍ୟମ କରାଯାଇଥିଲା । ତେବେ ବାଟରେ ପ୍ରାଣ ହରାଇଥିଲେ ସୁନି । ସେହିପରି ଶଙ୍କରଡ଼ା ଗ୍ରାମର ୫୦ ବର୍ଷିୟ ବୃଦ୍ଧ ଝାନୁ ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏଥିସହ ପାନବନ୍ଧ ଗ୍ରାମର ୨୭ ବର୍ଷିୟ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁରେ ମୃତ୍ୟୁବରଣ କରିଛନ୍ତି ।

ତେବେ ପ୍ରଶାସନ କିନ୍ତୁ ବିଟାଙ୍କ ମୃତ୍ୟୁକୁ ଡାଇରିଆ ଜନିତ ମୃତ୍ୟୁ ଭାବେ ଗ୍ରହଣ କରିବାକୁ ନାରାଜ । ବିଟା ପେଟବ୍ୟଥା ଯୋଗୁ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଉଲ୍ଲେଖ ହୋଇଛି । ତେବେ ଗାଁରେ ଥିବା ଆକ୍ରାନ୍ତଙ୍କୁ ଡାକ୍ତରଖାନା ମୁହାଁ କରାଇବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।