ବିପଦରେ କଳାହାଣ୍ଡି ଜନସାଧାରଣଙ୍କ ଆଶା ଓ ଭରସା : ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରେଲୱେ ଟ୍ରାକରେ ବିପଦ

34

କନକ ବ୍ୟୁରୋ : ବିପଦରେ କଳାହାଣ୍ଡି ଜନସାଧାରଣଙ୍କ ଆଶା ଓ ଭରସା ରେଳପଥ ଜୁନାଗଡ଼, ଲାଞ୍ଜିଗଡ଼ ରେଳପଥ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଟ୍ରାକରେ ସୃଷ୍ଟି ହୋଇଛି ବିପଦ । ସରକାର କା ମାଲ ପକେଟ୍ ମେଁ ଡାଲ, ନ୍ୟାୟରେ କୋଟି କୋଟି ଟଙ୍କା ନଷ୍ଟ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଉଭୟ ଯନ୍ତ୍ରୀ ଓ ଠିକାଦାର । ଆଉ ଜୀବିକା ହରାଇଛନ୍ତି ପାଞ୍ଚଶହ ଶ୍ରମିକ ।

୮ କୋଟି ଟଙ୍କାର ବ୍ୟୟବରାଦରେ କଳାହାଣ୍ଡି ଜୁନାଗଡ଼ ରେଳ ପ୍ଲାଟଫର୍ମ ମରାମତି ଓ ରେକ୍ ପଏଣ୍ଟ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଟିଟିଲାଗଡର ଠିକାଦାର ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି । କିନ୍ତୁ ନିର୍ମାଣଜନିତ ତୃଟି ଓ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ରେକ୍ ପଏଣ୍ଟର ଦୁଇ କଡ ଫାଟି ଗଲାଣି । ଖାଲି ଏତିକି ନୁହେଁ ପ୍ଲାଟଫର୍ମ ସିମେଣ୍ଟ ସ୍ଲାପ୍ ଗୁଡିକ ମଧ୍ୟ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଆଉ ଏହି ଫାଟଗୁଡିକ ରେଲୱେ ଟ୍ରାକ୍ ପର୍ଯ୍ୟନ୍ତ ପହଞ୍ଚି ଥିବାରୁ ମାଲ ଗାଡ଼ି ପାଇଁ ବିପଦ ସୃଷ୍ଟି କରିଛି ।

ସ୍ଥିତି ଏପରି ହୋଇଛି ଯେ, ଟ୍ରାକ୍ ପାଖକୁ ଟ୍ରକ ଯିବା ତ ଦୂରର କଥା ସାଧାରଣ ଓଜନିଆ ଗାଡ଼ି ଯିବା ମଧ୍ୟ ବିପଦ ସଙ୍କୁଳ ହୋଇପଡ଼ିଛି । ତେଣୁ ଅନେକ ଦିନ ହେଲାଣି ମାଲଗାଡ଼ି ଚଳାଚଳ ବନ୍ଦ ରହିଛି । ଫଳରେ ଗାଡିରେ ମାଲ ଲୋଡି ଅନଲୋଡିଂ କାମ କରୁଥିବା ପାଞ୍ଚଶହ ଶ୍ରମିକ ଜୀବିକା ହରାଇଛନ୍ତି । ପରିବହନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗରେ ସହମତି ପ୍ରକାଶ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।

କେନ୍ଦ୍ର ସରକାରଙ୍କ ଏହି ଅର୍ଥର ଦୂରୁପଯୋଗ ଓ ନିମ୍ନମାନର କାର୍ଯ୍ୟକୁ ଗୋଇନ୍ଦା ସ୍ତରୀୟ ତଦନ୍ତ କରି ଠିକାଦାର ଏବଂ ତଦାରଖକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇ ଦାବି ଜୋର ଧରିଛି ।