ଜୋରନ୍ଦା ମହିମାଗାଦିରେ ବୁଲିଲା ବୁଲଡୋଜର । ମାଟିରେ ମିଶିଲା ବତୀ ମନ୍ଦିର ,ଧୂଳିସାତ ହେଲା ଧୁନିମନ୍ଦିର ଓ ବାବାଙ୍କ ଟୁଙ୍ଗି ।

1,534

କନକ ବ୍ୟୁରୋ: ମହିମା ଗାଦିରେ ବୁଲିଲା ବୁଲଡୋଜର । ଧୂଳିସାତ ହେଲା ଧୂନିଘର । ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ଜବର ଦଖଲ ଉଚ୍ଛେଦ ହୋଇଛି । ଯୋରନ୍ଦା ମହିମା ମୁଖ୍ୟ ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢା ଭିତରେ କୌପିନ ସମାଜ ତାଙ୍କର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର  ଆଦିକୁ ଭଙ୍ଗା ଯାଇଛି । ୧୯୪୩ ମସିହାରୁ ମହିମାଗାଦିରେ ଥିବା  ବକଳଧାରି ମହିମାସମାଜ ଓ କୌପିନଧାରୀ ମହିମାସମାଜ ମଧ୍ୟରେ ବିବାଦ ଲାଗି ରହିଥିଲା । ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜବର ଦଖଲକୁ ଆଜି ଉଚ୍ଛେଦ କରାଯାଇଛି ।

  • ମହିମାଗାଦିରେ ଚାଲିଲା ବୁଲଡୋଜର
  • ମାଟିରେ ମିଶିଲା ବତୀମନ୍ଦିର ଓ  ଧୂନି ମନ୍ଦିର

ବିଶ୍ୱପ୍ରସିଦ୍ଧ ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମାଗାଦିରେ ଚାଲିଛି ବୁଲଡୋଜର ।  ୨ ଘଣ୍ଟା ଭିତରେ ମାଟିରେ ମିଶିଯାଇଛି ବତୀ ମନ୍ଦିର, ଧୂନି ମନ୍ଦିର, ଭେକ ମନ୍ଦିର ଓ ବାବାଙ୍କ ଟୁଙ୍ଗି ଘର ।  ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି କରି ଖାଲି କରିଛି ପ୍ରଶାସନ ।

୧୯୪୩ ମସିହାରୁ ମହିମାଗାଦିରେ ଥିବା ବକଳଧାରି ମହିମାସମାଜ ଓ କୌପିନଧାରୀ ମହିମାସମାଜ ମଧ୍ୟରେ ବିବାଦ ଲାଗି ରହିଥିଲା  । ମୁଖ୍ୟ ଗାଦି ମନ୍ଦିର ପ୍ରାଙ୍ଗଣରେ କୌପିନ ସମାଜଙ୍କ ୨୮ ଡେସିମିଲ ଜାଗାରେ  ସବୁ ମନ୍ଦିର ଓ ଟୁଙ୍ଗି ରହିଥିବାରୁ ଏହା ହିଁ ବିବାଦର ମୁଖ୍ୟ କାରଣ ଥିଲା ।  ଏହାକୁ ହଟାଇବା ଲାଗି ବକଳଧାରି ମହିମାସମାଜ କୋର୍ଟର ଆଶ୍ରୟ ନେଇଥିଲେ । ଆଉ ଏହି ମାମଲା ତଳ କୋର୍ଟରୁ ଯାଇ ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ  ତଳକୋର୍ଟର ରାୟକୁ କାଏମ ରଖି ୨୮ ଡିସିମିଲ ଜାଗାରେ ଥିବା ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।  ତଳକୋର୍ଟର ରାୟକୁ ଅଗ୍ରାହ୍ୟ ପାଇଁ କୌପିନଧାରୀ ମହିମାସମାଜର ଆବେଦନକୁ ଗ୍ରହଣ କରିନଥିଲେ ।  ଫଳରେ ସେଠାରେ ୧୪୪ ଧାରା ଜାରି କରାଯାଇ ମନ୍ଦିର ଓ ଟୁଙ୍ଗିଘରକୁ ମାଟିରେ ମିଶାଯାଇଛି ।

  • ଉପରକୋର୍ଟ ଯିବ କୌପିନ ସମାଜ
  • ୬୦ ଦିନ ଯାଏଁ ବଳବତ୍ତର ରହିବ ୧୪୪ ଧାରା

କୌପିନ ସମାଜ ସାଧୁଙ୍କ ଅଭିଯୋଗ ହେଲା, ସେମାନଙ୍କ ଲାଗି କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାନଯାଇ ଏଭଳି ବୁଲଡୋଜର ବୁଲାଇବା ଠିକ ହୋଇନାହିଁ । ବର୍ତ୍ତମାନ  ମନ୍ଦିରର ପୁନଃନିର୍ମାଣ ପାଇଁ ଜାଗା ଦିଆଯାଉ ବୋଲି କୌପିନ ସାଧୁ ଦାବି କରିଛନ୍ତି । ଏପରିକି ଉପରକୋର୍ଟକୁ ଯିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ମହିମାଗାଦିରେ  ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।  ପରିସ୍ଥିତି ଉପରେ ତୀକ୍ଷଣ୍ ନଜର ରଖାଯାଇଛି । ୧୪୪ ଧାରା  ବି ବଳବତର ରହିଛି । ଆସନ୍ତା ଫେବୃଆରୀରେ ହେବ ପ୍ରସିଦ୍ଧ ଯୋରନ୍ଦାମେଳା । ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ତେଣୁ ଆଗୁଆ ବିବାଦର ସମାଧାନ ନ କଲେ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ରହିଛି ।