ଧାନ ଉଠାକୁ ନେଇ ବଡ଼ ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି, ଜବାବ ରଖିଲା ବିଜେଡି ।

105

କନକ ବ୍ୟୁରୋ: ଉଠିଲା ଧାନ, ପଦ୍ମପୁରରେ କମ୍ପନ । ବିଳମ୍ବରେ ହେଲେ ସୁଦ୍ଧା ବରଗଡ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ବଡ ଧରଣର ରାଜନୀତି ମୁଣ୍ଡ ଟେକିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବାରମ୍ବାର ଧାନ ସଂଗ୍ରହର ତାରିଖ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରିଛି ବିଜେପି । ସେହିପରି ବିଭାଗୀୟ ଧାନ ଉଠାର ତଦାରଖ କରିବା ବଦଳରେ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ବିଜେପିର ଏହି ଅଭିଯୋଗର କଡା ଜବାବ ରଖିଛି ବିଜେଡି । କହିଛି, ଚାଷୀଙ୍କୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା?

ତେବେ ଚାଷ ଏବଂ ଚାଷୀକୁ ନେଇ ରାଜନୀତି ଓଡ଼ିଶାରେ ନୂଆ ନୁହେଁ । ଆଉ ଯେତେବେଳେ ନିର୍ବାଚନ ଆସେ, ରାଜନୈତିକ ଦଳ ଗୁଡ଼ିକର ଦରଦ ଚାଷୀଙ୍କ ପ୍ରତି ହୁଏତ ଅଧିକ ଦେଖିବା ମିଳେ । ଯାହା ଏବେ ପଦ୍ମପୁର ଉପ-ନିର୍ବଚନ ସମୟରେ ଦେଖିବାକୁ ମିଳୁଛି । ଚାଷୀଙ୍କ ନାଁରେ ବିଜେଡି ପଦ୍ମପୁରରେ ଭୋଟ୍ ମାଗୁଛି । ଚାଷୀଙ୍କ ସ୍ୱାର୍ଥ କଥା କହି ବିଜେପି ଭୁବନେଶ୍ୱରରେ ସତ୍ୟାଗ୍ରହ କରୁଛି ।

  • ଧାନ ଉଠାକୁ ନେଇ ବଡ଼ ରାଜନୀତି
  • ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ବିଳମ୍ବରେ ହେଲେ ସୁଦ୍ଧା ବରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ଧାନ ସଂଗ୍ରହ ଅଭିଯାନ । ବରଗଡ଼ ସହ ଗୋଡ଼ଭଗା, ଅତାବିରା ସମେତ ନିର୍ବାଚନ ହେବାକୁ ଥିବା ୩ ବ୍ଳକ୍, ପଦ୍ମପୁର, ପାଇକମାଳ ଏବଂ ଝାରବନ୍ଧରେ ବି ଧାନ ସଂଗ୍ରହ ଆରମ୍ଭ ହୋଇଛି । ଆଉ ଏହି ଧାନ ସଂଗ୍ରହ ସମୟ ଓ ରାଜ୍ୟ ସରକାରଙ୍କ ନୀତିକୁ ନେଇ ଟାର୍ଗେଟ୍ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଅଭିଯୋଗ କରିଛି…

  • ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ଧାନ ସଂଗ୍ରହ ତାରିଖକୁ ବାରମ୍ବାର ପରିବର୍ତ୍ତନ କରିଛି
  • ବିଭାଗୀୟ ମନ୍ତ୍ରୀ ଧାନ ସଂଗ୍ରହର ତଦାରଖ କରିବା ବଦଳରେ ନିର୍ବାଚନ ପ୍ରଚାରରେ ମାତିଛନ୍ତି
  • ରାଜ୍ୟ ସରକାର ଚାଷୀଙ୍କ ବଦଳରେ ମିଲର୍ସଙ୍କ ପଛରେ ଛିଡ଼ା ହୋଇଛନ୍ତି
  • ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ୨୦୦ କୋଟିର ଇନପୁଟ ସବସିଡି ଘୋଷଣା କରିଛନ୍ତି
  • ମରୁଡ଼ି ଘୋଷଣା ନକରି ଇନପୁଟ ସବସିଡି କେମିତି ଦିଆଯାଉଛି
  • ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସବସିଡି କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି

ବିଜେପିର ଏକାଧିକ ଅଭିଯୋଗ ଭିତରେ ଶାସକ ବିଜେଡି ପାଲଟା ଆକ୍ରମଣ କରିଛି । ପ୍ରେସ ରିଲିଜ୍ ଜରିଆରେ ଅଭିଯୋଗର ଏକ ଲମ୍ବା ଚଉଡ଼ା ତାଲିକା ରଖିଛି । ବିଜେଡି ଅଭିଯୋଗ କରିଛି…

  • ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବଢ଼ିବାକୁ କୁହାଯାଇଥିଲା । ଯାହା ବିଜେପି ପୂରଣ କରିନାହିଁ
  • ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ଭୂଆଁ ବୁଲାଯାଇଛି
  • ବିଜେପି ସରକାର ଚାଷୀ ବିରୋଧୀ କୃଷି ଆଇନ ଆଣିଥିଲେ । ଯାହାର ପ୍ରତିବାଦ କରି ୬୦୦ ଚାଷୀଙ୍କ ମୃତ୍ୟୁ ହୋଇଛି
  • ଧାନର ସର୍ବନିମ୍ନ ମୂଲ୍ୟ ୨ ହଜାର ୯୩୦ ଟଙ୍କା କରିବାକୁ ବିଧାନସଭାରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ପ୍ରସ୍ତାବ ନେଇ ବିଜେପି ଚୁପ ରହିଛି
  • କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଚାଷୀଙ୍କୁ ସାର ଯୋଗାଇବାରେ ବିଫଳ ରହିଛି
  • ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ସତ୍ୱେ ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ମିଳିପାରିନି
  • ଚାଷୀଙ୍କୁ ୨୦୦ କୋଟି ଇନପୁଟ ସବସିଡି ଘୋଷଣା କରିବା ପରେ ବିଜେପି ଆଚରଣ ବିଧିର ଉଲଂଘନ ବୋଲି ଅଭିଯୋଗ କରିଛି 

ଏହି ଆରୋପ ପ୍ରତ୍ୟାରୋପରୁ ଗୋଟିଏ କଥା ସ୍ପଷ୍ଟ ଯେ, ପଦ୍ମପୁର ଉପ-ନିର୍ବାଚନରେ ଚାଷୀଙ୍କ ଭୋଟ କେତେ ଗୁରୁତ୍ୱ ରଖୁଛି ।