ଟିମ ଇଣ୍ଡିଆ ପାଇଁ ବଡ ଖବର: ବିଶ୍ୱକପ ଦଳରୁ ବାଦ ପଡିନାହାନ୍ତି ୟର୍କର କିଙ୍ଗ! କାହିଁକି ଏମିତି କହିଲେ ଗାଙ୍ଗୁଲି

443

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଆଉ ଦିନ କେଇଟା ପରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହା ସମର । ଟାଇଟଲ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ସମସ୍ତ ଟିମ । ହେଲେ ଏହାରି ମଧ୍ୟରେ ଭାରତକୁ ବଡ ଝଟକା ଲାଗିଥିଲା । କିଛି ଦିନ ତଳେ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଦଳରୁ ବାଦ ପଡିଛନ୍ତି ବୋଲି ଘୋଷଣା ହୋଇଥିଲା । ହେଲେ ଏବେ ଟିମ ଇଣ୍ଡିଆ ପାଇଁ ଆସିଛି ଖୁସି ଖବର । ବୁମରାହଙ୍କୁ ନେଇ ଏବେ ବି ଆଶା ବାନ୍ଧି ବସିଛି ବିସିସିଆଇ । ବୁମରାହ ବାଦ ପଡିନଥିବା କଥା ସଭାପତି ସୌରଭ ଗାଙ୍ଗୁଲି କହିବା ପରେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବୁମରାହଙ୍କ ଉପରେ ଯେତେବେଳେ ସୌରଭ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ, ବୁମରାହ ଟି-୨୦ ବିଶ୍ୱକପରୁ ବାଦ ପଡିନାହାନ୍ତି, ବିଶ୍ୱକପ ପାଇଁ ସମୟ ଅଛି । ଆମେ ଅପେକ୍ଷା କରିବା କିଛି ଜଲଦିରେ କରିବାର ନାହିଁ । ଯଦି ସେ ବିଶ୍ୱକପ ଭିତରେ ସୁସ୍ଥ ହୋଇଯାଆନ୍ତି ତେବେ ତାଙ୍କୁ ଦଳରେ ସାମିଲ କରିବା ଉପରେ ଆମେ ଚିନ୍ତା କରିବୁ ।

ବିସିସିଆଇ ଚାହୁଁଛି ବୁମରା ଟି-୨୦ ବିଶ୍ୱକପ ଖେଳନ୍ତୁ । ଏଥିପାଇଁ ଟିମ ମ୍ୟାନେଜମେଣ୍ଟ ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି କହିଛନ୍ତି । ବୁମରାଙ୍କୁ ଯଥାସମ୍ଭବ ଫିଟ କରିବାକୁ ମେଡିକାଲ ଟିମକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦି ୧ ପ୍ରତିଶତ ବି ଲାଗିବ ବୁମରା ଫିଟ ଅଛନ୍ତି ତେବେ ସେ ଟି-୨୦ ବିଶ୍ୱକପ ଖେଳିପାରିବେ । ବୁମରା ୫ ଅକ୍ଟୋବରରେ ଦଳ ସହ ଗସ୍ତ କରିବେନି । ହେଲେ ପରବର୍ତ୍ତି ସମୟରେ ସେ ଠିକ ହେଲେ ଅଷ୍ଟ୍ରେଲିଆ ଗସ୍ତ କରିବେ ।

ଏବେ ଯାଏଁ ଟି-୨୦ ବିଶ୍ୱକପରେ ବୁମରାଙ୍କ ବଦଳରେ କାହାକୁ ବି ଦଳରେ ସ୍ଥାନ ମିଳିନି । ବୁମରାଙ୍କ ବଦଳରେ ଖେଳାଳି ଚୟନ ପରେ ବି ହୋଇପାରିବ ବୋଲି ଟିମ ମ୍ୟାନେଜମେଣ୍ଟ କହିଛି । ଏହାସହ ସମସ୍ତ ରିପୋର୍ଟ ଟିମ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କ ସହ ସେୟାର ହେବ, ଏହା ପରେ ଯାଇଁ ଯାହା ଶେଷ ନିଷ୍ପତ୍ତି ନିଆଯିବ ।

ନିଜ ପିଠିରେ ଆଘାତ ଲାଗିବା ଯୋଗୁଁ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି ଯଶପ୍ରିତ ବୁମରା । ପୂର୍ବରୁ ସେ ଏସିଆ କପରୁ ବାହାର ହୋଇଥିଲେ । ପରେ ଅଷ୍ଟ୍ରେଲିଆ ବିପକ୍ଷ ସିିରିଜରେ ଦଳକୁ ଫେରିଥିଲେ । ଏବେ ସେ ଦକ୍ଷିଣ ଆଫ୍ରିକା ସିରିଜ ସହ ବିଶ୍ୱକପରୁ ମଧ୍ୟ ବାଦ ପଡିଛନ୍ତି । କେବଳ ଟିମ ମ୍ୟାନେଜମେଣ୍ଟ ନୁହେଁ ପ୍ରତିଟି ଭାରତୀୟ ଚାହୁଁଛନ୍ତି ବୁମରା ଦଳକୁ ଫେରନ୍ତୁ ଆଉ ବିଶ୍ୱକପ ଖେଳନ୍ତୁ । କାରଣ ବୁମରାଙ୍କ ଉପସ୍ଥିତି ଦଳକୁ ବିଶ୍ୱକପ ବିଜୟ ପାଇଁ ବାଟ ଦେଖାଇପାରେ ।

ଅକ୍ଟୋବର ୧୬ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଆଉ ଭାରତ ଅକ୍ଟୋବର ୨୩ରୁ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନ ବିପକ୍ଷରେ ନିଜ ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ତେବେ ଏହି ମ୍ୟାଚରେ ବୁମରା ସୁସ୍ଥ ହୋଇ ପୁଣି ଦଳକୁ ଫେରିଆସିଥିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।