ଦିଲ୍ଲୀରେ ବଢୁଛି ଯମୁନା ନଦୀ : ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ, ଏପଟେ ସୁରକ୍ଷା ଦୃଷ୍ଟିରୁ ୨୭ ଟ୍ରେନ ବାତିଲ କଲା ରେଳ ମନ୍ତ୍ରଣାଳୟ !

91

କନକ ବ୍ୟୁରୋ : ଲଗାତାର ବର୍ଷାରେ ଦିଲ୍ଲୀର ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଯମୁନା ନଦୀରେ ପ୍ରବଳ ପାଣି ଆସିବାରୁ ତଳିଆ ଅଞ୍ଚଳରେ ଅନେକ ଲୋକ ପାଣି ଘେରରେ ଥିବା ସୂଚନା ମିଳିଛି । ହଥିନୀକୁଣ୍ଡ ପୋଲ ଉପରେ ପାଣି ଚାଲୁଛି । ତେବେ ଏପରି ସ୍ଥିତିକୁ ଦେଖି ରେଳ ମନ୍ତ୍ରଣାଳୟ ୨୭ ଟ୍ରେନକୁ କ୍ୟାନସଲ କରିଥିବା ଜଣାପଡିଛି । ତେବେ ଦିଲ୍ଲୀରେ ଯମୁନା ନଦୀରେ ଲଗାତାର ଭାବରେ ଜଳସ୍ତର ବଢିବାରେ ଲାଗିଛି । ଆଜି ସକାଳୁ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । ବର୍ତ୍ତମାନ ସମୟରେ ଜଳସ୍ତର ୨୦୫.୬୬ ମିଟରରେ ପହଞ୍ଚିଛି । ତେବେ ନଦୀରେ ପ୍ରବଳ ପାଣି ଆସୁଥିବାରୁ ରେଳ ବିଭାଗ ପକ୍ଷରୁ ୨୭ ଟ୍ରେନକୁ ବାତିଲ କରିଦିଆଯାଇଛି । ଏହାସହ ଦିଲ୍ଲୀରେ ଅନେକ ଛୋଟ ଛୋଟ ପୋଲ ଉପରେ ପାଣି ଚାଲୁଛି ।

ଗତକାଲି ରାତିରେ ଯମୁନା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଜଳସ୍ତର ବଢିଥିବା ସୂଚନା ମିଳିଛି ଏବଂ ଏହାର ପ୍ରଭାବ ଦିଲ୍ଲୀ ଦେଇ ଯାତାୟତ କରୁଥିବା ଟ୍ରେନ ଉପରେ ପଡିଛି । ଲୁହା ପୋଲକୁ ପାଣି ଲାଗି ଥିବାରୁ ଅନେକ ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ କେତେକ ଟ୍ରେନର ଗତିପଥ ବଦଳାଯାଇଥିବା ଜଣାପଡିଛି । ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ରହୁଥିବା ଲୋକମାନଙ୍କୁ ଉଚ୍ଚସ୍ଥାନକୁ ଯିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଦିଲ୍ଲୀ ସରକାର ବନ୍ୟା ସ୍ଥିତିକୁ ନଜରରେ ରଖି ଗତକାଲିଠାରୁ ୨୪ ଘଣ୍ଟିଆ କୋଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏପଟେ ପାଣି ଚାଲୁଥିବା ପୋଲ ଉପରେ ଲୋକମାନଙ୍କର ଯାତାୟତ ବନ୍ଦ କରିବା ଲାଗି ଦିଲ୍ଲୀ ସରକାର କହିଛନ୍ତି । ସୂଚନା ଅନୁସାରେ ହସ୍ତିନା କୁଣ୍ଡଠାରୁ ଛଡାଯାଇଥିବା ପାଣି ଆଜି ସନ୍ଧ୍ୟାସୁଦ୍ଧା ଦିଲ୍ଲୀରେ ପହଞ୍ଚିବ । ତେଣୁ ଯମୁନା ନଦୀରେ ଜଳସ୍ତର ବଢିବ ବୋଲି ଜଣାପଡିଛି । ଗତକାଲି ସକାଳୁ ହିଁ ଦିଲ୍ଲୀର ଜଳସ୍ତର ବଢିବାରେ ଲାଗିଛି । ତେବେ ବନ୍ୟା ଉପରେ ସରକାର ନଜର ରଖିଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ଦିଲ୍ଲୀର ବଜିରାବାଦ, ସୋନିଆ ବିହାର, ଗଢିମାଣ୍ଡୁ, ଶାସ୍ତ୍ରୀ ପାର୍କ, ଗୀତା କଲୋନି, ଗାନ୍ଧି ନଗର, ଜଗତପୁର, ଆଖେଲା, ବାଟଲା ହାଉସ ଓ ମଦନପୁର ଅଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମଳିଛି । ତେବେ ସମସ୍ତ ଅଞ୍ଚଳରରେ ଲୋକମାନଙ୍କୁ ସତର୍କ ରହିବା ଲାଗି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।