କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ମିଳିଲା ସରକାରୀ ଚାକିରୀ । ଜାଣନ୍ତୁ କେଉଁ ପଦରେ ନିଯୁକ୍ତି ଦେଲେ ଗେହଲଟ ସରକାର

604

କନକ ବ୍ୟୁରୋ : କିଛି ଦିନ ତଳେ ରାଜସ୍ଥାନର ଉଦୟପୁରରେ ଏକ ଧାର୍ମିକ ହିଂସା କାରଣରୁ ଦର୍ଜୀ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ୪ ଜଣ ଅଭିଯୁକ୍ତ ପୋଲିସ ହେପାଜତରେ ରହିଛନ୍ତି ଓ ୩ ଜଣଙ୍କୁ ପୋଲିସ ରିମାଣ୍ଡରେ ଏନଆଇଏ ହାତକୁ ଦେଇଛି । ମଙ୍ଗଳବାର ଦିନ ଏନଆଇଏ ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି । ହେଲେ ଏହାରି ମଧ୍ୟରେ ଏବେ ଏକ ବଡ ଖବର ଆସିଛି । କହ୍ନେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦେବାକୁ ଗେହଲଟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କ୍ରମରେ ତରୁଣ ଓ ୟସଙ୍କୁ କନିଷ୍ଠ ସହାୟକ ପଦରେ ନିଯୁକ୍ତି ମିଳିଛି ।

ସୂଚନା ଥାଉକି କହ୍ନେୟାଲାଲଙ୍କୁ ହତ୍ୟା କରାଯିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ସେତିକି ବେଳେ ଗେହଲଟ କହ୍ନ୍ରେୟାଲାଲଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ଘୋଷଣା କରିଥିଲେ । ଏହାପରେ ଜୁଲାଇ ୬ ତାରିଖ କ୍ୟାବିନେଟ ବୈଠକରେ କହ୍ନେୟାଲାଲଙ୍କ ଦୁଇପୁଅଙ୍କୁ ଚାକିରି ଦିଆଯିବା ନେଇ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । କେବଳ ସେତିକି ନୁହେଁ କହ୍ନେୟାଲାଲଙ୍କ ପରିବାରକୁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

କହିରଖୁ କି, ରାଜସ୍ଥାନର ଉଦୟପୁର ଠାରେ ଜୁନମାସ ୨୮ ତାରିଖରେ ଦର୍ଜୀ କହ୍ନେୟାଲାଲଙ୍କୁ କିଛି ବ୍ୟକ୍ତି ନିର୍ମମ ଭାବେ ହତ୍ୟା କରିଥିଲେ । କୁହାଯାଉଛି କି ନୁପୂର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗରେ କିଛି ମୁସଲିମ ସଂପ୍ରଦାୟର ଲୋକ ତାଙ୍କୁ ହତ୍ୟା କରିଥିଲେ ।