ଘୋଷଣାର ୨ ବର୍ଷ ପରେ ବି ମିଳୁନି ୨୪ ଘଂଟିଆ ଚିକିତ୍ସା ସେବା । ଜଗତସିଂହପୁର ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଲୋକଙ୍କ ଧାରଣା

130

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ସରକାର ବହୁ ଯୋଜନା କରିଛନ୍ତି, ହେଲେ ପ୍ରକୃତ ହୀତାଧିକାରୀ ସରକାରୀ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି । ଯାହାର ଉଦାହରଣ ହେଉଛି ଜଗତସିଂହପୁର ରେଢୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ରେଢୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨ ବର୍ଷ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଛି । ମାତ୍ର ଏ ଯାଏଁ ଡାକ୍ତରଖାନାର ୨୪ ଘଂଟିଆ ଚିକିତ୍ସା ମିଳୁନାହିଁ । ଯାହାର ପ୍ରତିବାଦରେ ଗ୍ରାମବାସୀମାନେ ଆନ୍ଦେଳନକୁ ଓହ୍ଲାଇବା ସହ ଅନଶନରେ ବସିଛନ୍ତି ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘୋଷଣାର ୨ ବର୍ଷ ପରେ ବି ମିଳୁନି ୨୪ ଘଂଟିଆ ଚିକିତ୍ସା ।  ଜଗତସିଂହପୁର ରଘୁନାଥପୁର ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଂଟିଆ ରୋଗୀ ସେବା ମିଳୁନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଂଚଳବାସୀ, ବୁଦ୍ଧିଜୀବୀ ଓ ମହିଳାମାନେ । ୨୦୧୭ ଅକ୍ଟୋବର ୧୩ ତାରିଖରେ ରାଜ୍ୟ ସରକାର ରେଢୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋଲି ଘୋଷଣା କରିଥିଲେ ।

ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ରଘୁନାଥପୁର ଅନ୍ତର୍ଗତ ରେଢୁଆ, ରାଢଙ୍ଗ, ଅଢୋଇକୂଳ, ପୁରୁଣାବସନ୍ତ, ତଅଁରା, ଗୁଆଳିପୁର, ସାଦେଇପୁର ଆଦି ଅଂଚଳର ୫ ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି । ହେଲେ ଏଠାରେ ଉଚିତ୍ ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ ଜରୁରୀକାଳୀନ ରୋଗୀଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଉଛି ।

ସେପଟେ ଏବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରେଢୁଆ ଡାକ୍ତରଖାନାର ସମସ୍ୟାକୁ ସ୍ୱିକାର କରିବା ସହ ଆଗାମୀ ଦିନରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗଇ ଦିଆଯିବ ବୋଲି ସି.ଡି.ଏମ.ଓ. କହିଛନ୍ତି । ତେବେ ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ  ଆବଶ୍ୟକ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।