ଭାରତୀୟ ମୁଦ୍ରାରେ କେବେ ଲାଗିଲା ଗାନ୍ଧୀଙ୍କ ଫଟୋ ? ଜାଣନ୍ତୁ ଗାନ୍ଧୀଙ୍କ ଫଟୋ ପଛରେ କଣ ରହିଛି ଇତିହାସ ?

319

କନକ ବ୍ୟୁରୋ : ଆଜି ଦେଶରେ ଭାରତୀୟ ମୁଦ୍ରା ଉପରେ ଫଟୋକୁ ନେଇ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ପରେ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରିବାରେ ଲାଗିଛନ୍ତି । ହେଲେ ଭାରତୀୟ ମୁଦ୍ରାରେ କେବେଠାରୁ ଲାଗିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ? ଏହି ଫଟୋକୁ ଭାରତୀୟ ମୁଦ୍ରାରୁ ହଟାଇବାକୁ କିଛି ଆଇନଗତ ପ୍ରାବଧାନ ରହିଛି କି ନାହିଁ ? ଆସନ୍ତୁ ଏସବୁ ଉପରେ କଣ ରହିଛି ନିୟମ ତା ବାବଦରେ ଜାଣିବା ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ଯେ ଭାରତୀୟ ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଗାନ୍ଧୀଙ୍କ ଫଟୋ ଥିବା ବେଳେ ଅପର ପାଶ୍ୱର୍ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖାଯାଉ । ଫଳରେ ସାରା ଦେଶର ଲୋକଙ୍କୁ ଏହି ଦେବାଦେବୀଙ୍କର ଆର୍ଶିବାଦ ମିଳିବ ।

କେଜ୍ରିୱାଲ କହିଛନ୍ତି କି, ଦେଶର ଅର୍ଥ ବ୍ୟବସ୍ଥା ଦୟନୀୟ ସ୍ଥିତିକୁ ଆସି ଯାଇଛି । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏହାର ସୁଧାର ପାଇଁ କେନ୍ଦ୍ର ସରକାର କିଛି ବଡ ନିଷ୍ପତ୍ତି ନିଅନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି ।

ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ଫଟୋ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଇବା ନେଇ ପ୍ରଥମେ କେଜ୍ରିୱାଲ ଦାବି କରି ନାହାଁନ୍ତି ବରଂ ଏହା ପୂର୍ବରୁ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ମଧ୍ୟ ୨ ବର୍ଷ ପୂର୍ବରୁ ସମାନ ଦାବି କରିଥିଲେ । ସେ ସମସୟରେ ସ୍ୱାମୀ କହିଥିଲେ କି ଅର୍ଥ ବ୍ୟବସ୍ଥାର ସୁଧାର ପାଇଁ ଟଙ୍କାରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଛପାଯିବା ଦରକାର ।

ନୋଟରେ ଗାନ୍ଧୀଜୀଙ୍କ ଫଟୋକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି । କିଛି ଲୋକ କହୁଛନ୍ତି କି ନୋଟରୁ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ହଟେଇ ଦିଆଯିବା ଆବଶ୍ୟକ । ଅନ୍ୟ କିଛି ଲୋକଙ୍କ ମତରେ ଯେଉଁ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଅନ୍ୟ ମହାପୁରୁଷଙ୍କ ଫଟୋ ରହୁ । ସେପଟେ କିଛିଦିନ ତଳେ ଭାରତୀୟ ହିନ୍ଦୁ ମହାସଭା ଦାବି କରିଥିଲା କି ନୋଟରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କର ଫଟୋ ଛପାଯିବା ଦରକାର ।

ହେଲେ ଯଦି ଆମେ ଭାରତୀୟ ମୁଦ୍ରାର ଇତିହାସକୁ ଦେଖିବା ତେବେ ସ୍ୱାଧୀନତାର ଅନେକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରାରେ ଅଶୋକ ସ୍ତମ୍ଭ କିମ୍ବା ଅନ୍ୟ କିଛି ଛବି ଛପା ଯାଉଥିଲା । ହେଲେ ପ୍ରଥମେ ଯେତେବେଳେ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯିବା ନେଇ ନିଷ୍ପତ୍ତି ହେଲା ସେତେବେଳେ ସାରା ଭାରତର ଲୋକ ଏହାକୁ ସ୍ୱାଗତ କଲେ । କାରଣ ଦେଶପ୍ରତି ମହାତ୍ମା ଗାନ୍ଧୀଙ୍କର ଅବଦାନକୁ ସମସ୍ତେ ସ୍ୱିକାର କରୁଥିଲେ । ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟତୀତ ଅନ୍ୟ କୌଣସି ମହାପୁରଷଙ୍କ ଫଟୋ ଯଦି ନୋଟରେ ଛପା ଯାଇଥାନ୍ତା ତାହେଲେ ଏହାକୁ ନେଇ ବିବାଦ ଦେଖାଦେବାର ଭୟ ବି ଥିଲା । ଏହି କାରଣରୁ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଯିବାକୁ ନିଷ୍ପତ୍ତି ହୋଇଥିଲା ।

ସେପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟତୀତ ନୋଟରେ ଅନ୍ୟ କୌଣସି ମହାପୁରୁଷଙ୍କ ଫଟୋ ଛପାଯିବା ନେଇ ଦାବି ହେବା ପରେ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ କମିଟି ୨୦୧୪ ମସିହାରେ ଗଠନ କରାଯାଇଥିଲା । ୨୦୧୪ ନଭେମ୍ବର ମାସରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଲୋକସଭାରେ କହିଛନ୍ତି କି ରିଜର୍ଭ ବ୍ୟାଙ୍କ କମିଟି ମହାତ୍ମା ଗାନ୍ଧୀଙ୍କ ଫଟୋ ସ୍ଥାନରେ ଅନ୍ୟ କୌଣସି ମହାପୁରୁଷଙ୍କ ଫଟୋ ନୋଟରେ ନଛାପିବାକୁ ନିଷ୍ପତ୍ତି ନେଇଛି । କାରଣ କୌଣସି ବି ନେତା ଗାନ୍ଧୀଜୀଙ୍କ ଭଳି ଦେଶର ସ୍ୱଭାବକୁ ପ୍ରତିନିଧିତ୍ୱ କରିପାରିବେ ନାହିଁ ବୋଲି ଜେଟଲୀ ଲୋକସଭାରେ କହିଥିଲେ ।

ଅନ୍ୟପଟେ ଭାରତୀୟ ମୁଦ୍ରାର ଇତିହାସ କହେ କି ଦେଶ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଲାଭ କଲା । ହେଲେ ୧୯୫୦ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ବୋଲି ଘୋଷଣା କରାଗଲା । ସେପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ପୂର୍ବ ପ୍ରଚଳିତ ମୁଦ୍ରା ଜାରି କରୁଥିଲା । ରିଜର୍ଭ ବ୍ୟାଙ୍କର ୱେବସାଇଟ୍ ମୁତାବକ ସରକାର ପ୍ରଥମ ଥର ୧୯୪୯ ମସିହାରେ ୧ ଟଙ୍କିଆ ନୋଟକୁ ନୂଆ ଡିଜାଇନରେ ବଜାରକୁ ଛାଡିଲା । ସେ ସମୟରେ ଏହି ୧ ଟଙ୍କିଆ ନୋଟରେ ବ୍ରିଟେନ ମହାରାଜାଙ୍କ ଛବି ଛପା ଯାଉଥିଲା ।

ଏକ ରିପୋର୍ଟ ମୁତାବକ ସେ ସମୟରେ ସହମତି ପ୍ରକାଶ ପାଇଲା ଯେ ବ୍ରିଟେନ ମହାରାଜାଙ୍କ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପା ଯିବା ଦରକାର । ହେଲେ ଏହାକୁ ନେଇ କିଛି ବିବାଦ ଦେଖାଦେଲା ଫଳରେ ଭାରତୀୟ ମୁଦ୍ରାରେ ଅଶୋକ ସ୍ତମ୍ଭର ଫଟୋ ଛପାଗଲା ।

୧୯୫୦ ମସିହାରେ ପ୍ରଥମ ଥର ୨,୫,୧୦ ଓ ୧୦୦ ନୋଟ ଛପାଗଲା । ଏହିସବୁ ନୋଟରେ ଅଶୋକ ସ୍ତମ୍ଭର ଛବି ଛପା ଯାଇଥିଲା । ଏହାପରେ ୧୯୫୪ ମସିହାରେ ପ୍ରଥମଥର ପାଇଁ ୧ ହଜାର, ୨ ହଜାର ଓ ୧୦ ହଜାର ନୋଟ ଛପାଗଲା । ହେଲେ ୧୯୭୮ ରେ ଏସବୁ ନୋଟକୁ ନୋଟବନ୍ଦୀ କରାଗଲା । ଅର୍ଥାତ ଏହାକୁ ଅଚଳ କରିଦିଆଗଲା ।

୧୯୬୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ୧୦୦ ତମ ଜନ୍ମଦିନରେ ପ୍ରଥମଥର ପାଇଁ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଛପାଗଲା । ଏଥିରେ ମହାତ୍ମା ଗାନ୍ଧୀଙ୍କର ବସିଥିବା ଫଟୋ ଦେଖିବାକୁ ମଳିଲା । ଏହା ପଛରେ ସେବାଗ୍ରାମର ଫଟୋ ରହିଥିଲା ।

୧୯୭୨ ମସିହାରେ ରିଜର୍ଭ ବ୍ୟାଙ୍କ ତରଫରୁ ୨୦ ଟଙ୍କିଆ, ଓ ୧୯୭୫ ମସିହାରେ ୫୦ ଟଙ୍କିଆ ନୋଟ ଜାରି କରାଯାଇଥିଲା । ସେପଟେ ୧୯୮୦ ମସିହା ବେଳକୁ ନୂଆ ସିରିଜର ନୋଟ ଜାରି କରାଗଲା । ୧ ଟଙ୍କିଆ ନୋଟରରେ ତେଲ କୁଅ, ୨ ଟଙ୍କିଆ ନୋଟରେ ଆର୍ଯ୍ୟଭଟ୍ଟଙ୍କ ଫଟୋ ରହିଲା । ୫ ଟଙ୍କିଆ ନୋଟରେ ଟ୍ରାକ୍ଟର ଓ ୧୦ ଟଙ୍କିଆ ନୋଟରେ କୋଣାର୍କ ମନ୍ଦିରର ଚକ୍ର ଚିହ୍ନ ଛପାଗଲା ।
୮୦ ଦଶକ ପରେ ଦେଶର ଅର୍ଥବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଲା । ଲୋକମାନଙ୍କର କିଣିବାର କ୍ଷମତା ବୃଦ୍ଧି ପାଇଲା । ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ୫୦୦ ଟଙ୍କିଆ ନୋଟ ଜାରିଲା । ଏଥିରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖାଗଲା । ହେଲେ ତୈଳଚିତ୍ରରେ ଅଶୋକ ସ୍ତମ୍ଭ ମଧ୍ୟ ରଖାଗଲା ।

ଏହାପରେ ୧୯୯୬ ମସିହାରେ ରିଜର୍ଭ ବ୍ୟାଙ୍କ ତରଫରୁ ଅନେକ ସୁରକ୍ଷା ବ୍ୟବସ୍ଥା ଥିବା ମହାତ୍ମା ଗାନ୍ଧୀ ସିରିଜର ନୋଟ୍ ଜାରିକଲା । ଏହାସହ ତୈଳଚିତ୍ର ବି ବଦଳାଇ ଦେଲା । ଏଥିରେ ଏଭଳି ଫିଚର ରହିଲା କି ନେତ୍ରହୀନ ମଧ୍ୟ ନୋଟକୁ ଚିହ୍ନି ପାରିବ ।

୨୦୦୦ ମସିହା ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଜାରିଗଲା । ସେପଟେ ୨୦୧୬ ରେ ହୋଇଥିବା ବିମୁଦ୍ରିକରଣ ବେଳେ ମହାତ୍ମା ଗାନ୍ଧୀ ସିରିଜର ୫୦୦ ଓ ୧ ହଜାର ଟଙ୍କିଆ ନୋଟକୁ ଅଚଳ କରିଦିଆଗଲା । ଯେଉଁ ନୂଆ ୨ ହଜାର ଟଙ୍କିଆ ନୋଟ ଛପାଗଲା ସେଥିରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ରହିଲା ।