ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ମନୋଜ ତିୱାରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା

473

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଓ ମାଧ୍ୟମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଉଥିବା ସୂଚନା ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଥୀ ଖେଳାଳି, ପରିବାର ଲୋକ ଓ ନିଜ ପତ୍ନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ପତ୍ନୀ ସୁସ୍ମିତା ରାୟଙ୍କୁ ଧନ୍ୟବାଦ ଜଣାଇ ମନୋଜ ଲେଖିଛନ୍ତି କି ସୁସ୍ମିତା ମୋ ଜୀବନକୁ ଆସିବା ପରେ ମୋର ଖୁସି ବଢିଯାଇଛି । ପ୍ରତି କ୍ଷେତ୍ରରେ ସେ ମୋ ସହିତ ରହିଛନ୍ତି । ତାଙ୍କର ନିରନ୍ତର ସମର୍ଥନ ବିନା ମୁଁ ସେହି ସ୍ଥାନରେ ପହଂଚିପାରି ନଥାନ୍ତି ଆଜି ମୁଁ ଯେଉଁଠି ପହଂଚିପାରିଛି ବୋଲି ମନୋଜ କହିଛନ୍ତି ।

ସେହିଭଳି ନିଜ ଅବସରକୁ ନେଇ ମନୋଜ କହିଛନ୍ତି ଯେ, ଏହି ଖେଳ ମୋତେ ସବୁକିଛି ଦେଇଛି । ଯାହା ମୁଁ କେବେ କଳ୍ପନା କରିନଥିଲି ତାହା କ୍ରିକେଟ ଯୋଗୁଁ ପାଇଛି । ମୋ ଜୀବନ ଯେତେବେଳେ ଏକ କଠିନ ସମୟ ଦେଇ ଗତି କରୁଥିଲା ଠିକ୍ ସେହି ସମୟରେ ମୋତେ କ୍ରିକେଟ ଖେଳ ଆଗକୁ ବଢାଇଥିଲା ବୋଲି ସେ କହିଛନ୍ତି ।

ସୂଚନା ଥାଉକି ୨୦୦୮ ମସିହା ଫେବୃଆରୀ ମାସରେ ମନୋଜ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ । ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ୧୨ ଟି ଏକଦିବସୀୟ ଓ ୩ ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଏକଦିବସୀୟ ମ୍ୟାଚରେ ୨୬.୦୯ ହାରରେ ସେ ୨୮୭ ରନ ସଂଗ୍ରହ କରିଛନ୍ତି । ଏହି କ୍ରମରେ ସେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ଏହା ବ୍ୟତୀତ ଟି-୨୦ ଇଣ୍ଟରନ୍ୟାସନାଲରେ ସେ ଗୋଟିଏ ପାରି ଖେଳିବାର ସୁଯୋଗ ପାଇଁ ୧୫ ରନ୍ କରିଥିଲେ ।