ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା! କେବଳ ଘୋଷଣାକୁ ଅପେକ୍ଷା, ଜାଣନ୍ତୁ କେବେ ଖେଳାଯାଇପାରେ ମ୍ୟାଚ୍?

372

କନକ ବ୍ୟୁରୋ : ଖୁବଶୀଘ୍ର ବାରବାଟୀକୁ ଫେରିପାରେ ଅନ୍ତର୍ଜାତୀୟ ମ୍ୟାଚ୍ । ଆଉ ତାହା ବି ପୁଣି ଟି-୨୦ ମୁକାବିଲା । ଘରୋଇ କ୍ରିକେଟ ଋତୁ ଲାଗି ବିସିସିଆଇ ଆନ୍ତର୍ଜାତୀୟ ଖେଳସୂଚୀ ପ୍ରସ୍ତୁତ କରିଥିବା ବେଳେ ୪ଟି ଦେଶ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବେ । ଏହି ୪ଟି ଦେଶ ସହ ଭାରତ ୧୪ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଆଉ ଏହି ମ୍ୟାଚ୍ ଗୁଡିକ କେଉଁ ତାରିଖରେ ଓ କେଉଁ ଷ୍ଟାଡିୟମରେ ହେବ ତାହାର ନିଷ୍ପତ୍ତି ବିସିସିଆଇ ନେଇସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । ତେବେ ଏନେଇ କୌଣସି ଘୋଷଣା କରାଯାଇନାହିଁ । ଭାରତ ଗସ୍ତରେ ଆସିଥିବା ୪ଟି ଦେଶର କ୍ରିକେଟ ବୋର୍ଡକୁ ଅନୁମୋଦନ ପାଇଁ ପଠାଯାଇଛି । ଏହି ୪ଟି ବୋର୍ଡ ଖେଳସୂଚୀରେ ମୋହର ମାରିଲେ ବିସିସିଆଇ ପୂରା କାର୍ଯ୍ୟସୂଚୀ ବାବଦରେ ଘୋଷଣା କରିବ । ଏନେଇ ଆଜି ବିସିସିଆଇର ଏକ ବୈଠକ ବସିବ, ଯେଉଁଠି ଏହି ଖେଳସୂଚୀକୁ ଗ୍ରୀନ୍ ସିଗନାଲ ମିଳିପାରେ ।

ଖେଳସୂଚୀ ଅନୁଯାୟୀ, ଆସନ୍ତା ୨୦୨୨ ଫେବ୍ରୁଆରୀ ୧୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଆଉ ଏହି ହାଇଭୋଲଟେଜ ମୁକାବିଲାର ମଜା ନେବେ କ୍ରିକେଟପ୍ରେମୀ । ଏବେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି । ପୂରା ଷ୍ଟାଡିୟମର ନବକଳେବର ହେଉଛି । ଷ୍ଟାଡିୟମକୁ ପୂରା ନୂଆ ରୂପ ଦେଉଛି ଓସିଏ । ପିଚ୍ ଠାରୁ ପ୍ୟାଭିଲିୟନ ସବୁ କିଛି ବଦଳାଯାଉଛି । ଆଉ ଆସନ୍ତା ଫେବ୍ରୁଆରୀରେ ଏହି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ୱେଷ୍ଟଇଣ୍ଡିଜ ।

ଶେଷଥର ପାଇଁ ୨୦୧୯ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଯେଉଁ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ । ବାରବାଟୀରେ ପୂର୍ବରୁ ୨୧ଟି ଦିନିକିଆ, ୨ଟି ଲେଖାଏଁ ଟି-୨୦ ଓ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ଏହାଛଡା ଏହି ଷ୍ଟାଡିୟମରେ ୭ଟି ଆଇପିଏଲ ମ୍ୟାଚ୍ ମଧ୍ୟ ଖେଳାଯାଇଛି । ଏପରିକି ୨୦୨୨ ଆଇପିଏଲ ପାଇଁ କଟକ ବାରବାଟୀ ଷ୍ଟାଡିୟମକୁ ଅନ୍ୟତମ ଆୟୋଜକ ସହର ତାଲିକାରେ ରଖିଛି ବିସିସିଆଇ । ତେଣୁ ଫେବ୍ରୁଆରୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା ଉପରେ ସମସ୍ତଙ୍କର ନଜର ରହିଛି ।