ସମ୍ବାଦର ପୂର୍ବତନ ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ : ଗଠିତ ହେଲା ବିଜୟ କୁମାର ସ୍ମାରକୀ ଟ୍ରଷ୍ଟ

104

କନକ ବ୍ୟୁରୋ : ସମ୍ବାଦର ପୂର୍ବତନ ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିିତ ହୋଇଛି । ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିିତ୍ୱରେ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ବିଜୟ କୁମାର ମେମୋରିଆଲ ଟ୍ରଷ୍ଟ ଗଠନ ନେଇ ଘୋଷଣା କରାଯାଇଛି । ସେହିପରି ବିଜୟ ପଟ୍ଟନାୟକଙ୍କ ସ୍ମୃତିରେ ‘ସ୍ମୃତିରେ ବିଜୟ’ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା ।

ସ୍ୱର୍ଗତ ବିଜୟ ପଟନାୟକ । ଗଣମାଧ୍ୟମର ଜଣେ ଚର୍ଚ୍ଚିତ ଚେହେରା ସହ ପରୋପକାରୀ ମଣିଷଟେ ସେ । ଗତବର୍ଷ କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କର ଦେହାନ୍ତ ହୋଇଥିଲା । ଏହାରି ଭତରେ ବର୍ଷଟିଏ ବିତିଯାଇଛି, ହେଲେ ଯୋଗଜନ୍ମା ପୁରୁଷକୁ ଆଜି ବି ଝୁରି ହେଉଛନ୍ତି ସମସ୍ତେ । ପାଳିତ ହୋଇଛି ସମ୍ବାଦର ପୂର୍ବତନ ପ୍ରକାଶକ ସ୍ୱର୍ଗତ ବିଜୟ ପଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ । ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟନାୟକଙ୍କ ଅଧକ୍ଷତାରେ ଶ୍ରାଦ୍ଧସଭା ଅନୁଷ୍ଠିତ ହୋଇଥିଲା । ସମ୍ବାଦ ପରିବାରର ପ୍ରଥମ ସହଯୋଗୀ ସଦସ୍ୟ ଥିଲେ ବିଜୟ ପଟନାୟକ । ସମ୍ବାଦର ସଫଳତା ପଛରେ ବିଜୟ ବାବୁଙ୍କର ଅବଦାନ ଚିର ସ୍ମରଣୀୟ ବୋଲି କହିଛନ୍ତି ସୌମ୍ୟରଂଜନ ପଟନାୟକ ।

ଏହି ଅବସରରେ ବିଜୟ କୁମାର ମେମୋରିଆଲ ଟ୍ରଷ୍ଟ ଗଠନ ନେଇ ଘୋଷଣା କରିଛନ୍ତି ସମ୍ବାଦର ସମ୍ପାଦକ । ୨୦୨୨-୨୩ ପର୍ଯ୍ୟନ୍ତ ଏହି ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ସାମ୍ବାଦିକତା, ସମ୍ବାଦପତ୍ର ବିତରଣ, ଶିଶୁ ଶ୍ରମରୁ ମୁକ୍ତ ହୋଇ ଉଚଶିକ୍ଷା ଲାଭ କରିଥିବା ଶିକ୍ଷାର୍ଥୀ ଓ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଦୁଇଜଣ ବିଦ୍ୟାର୍ଥୀଙ୍କୁ ସମ୍ବୋର୍ଦ୍ଧିତ କରାଯିବ । ବିଜୟଙ୍କ ପଟ୍ଟନାୟକଙ୍କ ସ୍ମୃତିରେ ‘ସ୍ମୃତିରେ ବିଜୟ’ ସ୍ମରଣୀକା ଉନ୍ମୋଚନ କରାଯାଇଥିବା ବେଳେ ଏକ ବୃତଚିତ୍ର ପ୍ରଦାନ କରାଯାଇଛି । ଏହି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, କଥାକାର ଗୌରହରି ଦାସ, ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସ୍ୱର୍ଗତ ବିଜୟ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସିଆରପି ଛକ ସ୍ଥିତ ହନୁମାନ ମନ୍ଦିର ପରିସରରେ ତାଙ୍କର ଅର୍ଦ୍ଧାବୟବ ପ୍ରତିମୂର୍ତ୍ତି ଅନାବରଣ ହୋଇଛି । ବିଜୟ ବାବୁ ଚିରଦିନ ପାଇଁ ସମସ୍ତଙ୍କ ମନରେ ରହିବେ । ଏବଂ ସମ୍ବାଦ ପରିବାର କେବେ ବି ତାଙ୍କୁ ଭୁଲି ପାରିବନାହିଁ ।