ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-୨୦ : ୫ ମାସ ପରେ ଟି-୨୦କୁ ଫେରିଥିବାରୁ କୋହଲିଙ୍କ ଉପରେ ନଜର

295

କନକ ବ୍ୟୁରୋ : ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚର ବିଜୟ ପରେ ଜୋସରେ ଟିମ୍ ଇଣ୍ଡିଆ । ଆଗୁଆ ସିରିଜ କବଜା ଲକ୍ଷ୍ୟରେ ଭାରତ । ୫ ମାସ ପରେ ଟି-ଟ୍ୱେଣ୍ଟିକୁ ଫେରିଥିବାରୁ କୋହଲିଙ୍କ ଉପରେ ନଜର ରହିଛି । ଏହି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବା ଲକ୍ଷ୍ୟରେ ରହିବ ଭାରତ । ‌ଟେଷ୍ଟ୍‌ ମ୍ୟାଚ୍‌‌ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି, ଋଷଭ ପନ୍ତ, ଯଶ୍‌ପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟର ଦଳକୁ ଫେରିଛନ୍ତି । ଫଳରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିବା ଚୂଡ଼ାନ୍ତ ‌ଏକାଦଶରେ ଅନେକ ପରିବର୍ତ୍ତନ ସମ୍ଭାବନା ରହିଛି ।

ସବୁଠୁ ବଡ଼ କଥା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ କୋହଲି ୫ ମାସ ପରେ ଟ୍ବେଣ୍ଟି-୨୦କୁ ଫେରିବେ। ଫର୍ମରେ ନଥିବାରୁ ଏହି ବ୍ୟାଟର୍‌ ନିଜ ପୂରୁଣା ଚମକ ଫେରିପାଇବା ଲାଗି ଚେଷ୍ଟା କରିବେ । ସେ ଦୀପକ ହୁଦାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ହୁଦା ପ୍ରଥମ ଟ୍ବେଣ୍ଟି-୨୦ରେ ୧୭ ବଲ୍‌ରେ ୩୩ ରନ୍‌ କରି ଫର୍ମରେ ଥିବା ସୂଚନା ଦେଇଥିଲେ । ଏଥିପାଇଁ କୋହଲିଙ୍କ ଉପରେ ଚାପ ରହିପାରେ । ଯଦି ହୁଦା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ଅଧିନାୟକ ରୋହିତ ଶର୍ମାଙ୍କ ସହ କୋହଲି ପାଳି ଆରମ୍ଭ କରିବାର ବିକଳ୍ପ ରହିଛି । ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି ବିଶ୍ରାମ ନେବାକୁ ଚାହୁଁଥିବାରୁ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ୨ ମ୍ୟାଚ୍‌ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।

ଭାରତ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ/ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା, ହର୍ଷଲ ପଟେଲ/ଉମ୍ରାନ ମଲ୍ଲିକ, ୟୁଝବେନ୍ଦ୍ର ଚହଲ।

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ : ଜାସନ ରୟ, ଜୋସ ‌ବଟଲର (ଅଧିନାୟକ), ଦାୱିଦ ମଲାନ, ଲିଅମ ଲିଭିଂଷ୍ଟୋନ, ମୋଇନ ଅଲୀ, ହାରି ବ୍ରୁକ, ସାମ କରନ, କ୍ରିସ ଜୋର୍ଡାନ, ମାଟ ପାର୍କିନସନ, ରେସି ଟପ୍‌ଲେ, ରିଚାର୍ଡ ଗ୍ଲିସନ/ତାଇମଲ ମିଲ୍ସ।