ସତ ଧରିଲା ସାଟେଲାଇଟ଼ ଫଟୋ : ଡୋକଲାମ ନିକଟରେ ଶହ ଶହ ଘରକୁ ନେଇ ଗାଁ ତିଆରି କରିଛି ଚୀନ

273

କନକ ବ୍ୟୁରୋ : ଭୁଟାନ ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ ଚେଷ୍ଟା କରୁଛି ଚୀନ । ନିକଟରେ ରିଲିଜ ହୋଇଥିବା କିଛି ନୂଆ ସାଟେଲାଇଟ ଫଟୋ ଏହାର ପ୍ରମାଣ ଦେଉଛି । ଡୋକଲାମଠୁ ୯ କିଲୋମିଟର ଦୂରରେ ଥିବା ଭୁଟାନର ଓମୋ-ଚୁ ଘାଟି ନିକଟରେ ଗାଁ ତିଆରି କରୁଛି ଚୀନ । କେବଳ ସେତିକି ନୁହେଁ ଏହି ଗାଁର ନାଁ ଚୀନ ପଂଗଣ୍ଡା ରଖିଥିବା ଜଣାପଡିଛି । ୨୦୧୯ରେ ଗାଁ ତିଆରି ଆରମ୍ଭ ହୋଇଥିଲା ଓ ଏବେ ଏହା ସମ୍ପୂର୍ଣ୍ଣଭାବେ ନିର୍ମାଣ ହୋଇଥିବା ସାଟେଲାଇଟ ଫଟୋରୁ ଜଣାପଡିଛି । ଫଟୋରେ ଦେଖିବାକୁ ମିଳିଛି କି ପଂଗଣ୍ଡା ଗାଁ ନିକଟରେ ଚୀନ ଏକ ସଡକ ମଧ୍ୟ ନିର୍ମାଣ କରିଛି ।

ଭୁଟାନ ଜମିକୁ କବଜା କରି ଏହାକୁ ନିର୍ମାଣ କରୁଛି ଚୀନ । ଓମୋ-ଚୁ ନଦୀ ନିକଟରେ ଏହି ରାସ୍ତା ତିଆରି କରି ଡ୍ରାଗନ ଭବିଷ୍ୟତ ପାଇଁ ରଣନୀତ ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି । ଅମୋ ଚୁ ଘାଟିରେ ଗାଁ, ସଡକ ନିର୍ମାଣ କରି ନିଜ ଦବଦବା ଜାହିର କରୁଛି ଚୀନ । ଅନ୍ୟପଟେ ଚୀନର ଏହି ଚାଲ ଭାରତ ପାଇଁ ସମସ୍ୟା ଆଣିବା ସମ୍ଭାବନା ରହିଛି । ଭାରତର ଅନ୍ୟତମ ସମ୍ବେଦନଶୀଳ ସ୍ଥାନ ମଧ୍ୟରେ ରହିଛି ସିଲିଗୁଡି କରିଡର । ଏହା ନିକଟରେ ସହଜରେ ପହଁଚିବା ପାଇଁ ଓମୋ-ଚୁ ରାସ୍ତା ଚୀନକୁ ବଡ ସହାୟତା କରିବ । ସିଲିଗୁଡି କରିଡର ବିଭିନ୍ନ ଦେଶ ସହ ପୂର୍ବତର ରାଜ୍ୟଙ୍କୁ ଯୋଡିଥାଏ । ୨୦୧୭ ମସିହାରେ ଭାରତ ଓ ଚୀନ ସେନା ମଧ୍ୟରେ ଡୋକଲାମରେ ବଡ ଧରଣର ସଂର୍ଘଷ ହୋଇଥିଲା ।