ସ୍ୱର୍ଣ୍ଣ ପଦକ ପାଇଁ ଆଜି ଲଢିବେ ନୀରଜ ଚୋପ୍ରା : ଜାଭେଲିନ୍ ଥ୍ରୋର ଫାଇନାଲ ମୁକାବିଲାରେ କରିବେ ଭାଗ୍ୟ ପରୀକ୍ଷା

ସେପଟେ କାଂସ୍ୟ ପଦକ ପାଇଁ ରିଙ୍ଗକୁ ଓହ୍ଲାଇବେ ବଜରଙ୍ଗ ପୁନିଆ 

210

କନକ ବ୍ୟୁରୋ: ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା କରୁଛି ଭାରତ । ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ଆଜି ଭାଗ ନେବେ ଭାରତର ଏହି ତାରକା ଖେଳାଳି । ୨୩ ବର୍ଷୀୟ ନୀରଜ ଚୋପ୍ରା ଭାରତ ପାଇଁ ପଦକ ଆଣିବେ ବୋଲି ଆଶା ରହିଛି । ଯଦି ସେ ପଦକ ହାସଲ କରନ୍ତି, ତେବେ ଆଥଲେଟିକ୍ସରେ ପଦକ ପାଇବା ପାଇଁ ଭାରତର ଶହେ ବର୍ଷର ଅପେକ୍ଷାର ଅନ୍ତ ଘଟିବ ।

ବୁଧବାର ଦିନ ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଏହି ଷ୍ଟାର ଆଥଲେଟ୍ । ଫାଇନାଲରେ ପହଂଚିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ୮୩.୫ ମିଟର ଟାର୍ଗେଟ୍ ରହିଥିଲା । କିନ୍ତୁ ନୀରଜ ଚୋପ୍ରା ୮୬.୫୯ ମିଟର ଥ୍ରୋ କରି ଗ୍ରୁପ୍ ‘ଏ’ର ପ୍ରଥମ ସ୍ଥାନରେ ରହି ଫାଇନାଲ ପାଇଁ ସ୍ଥାନ ପକ୍କା କରିନେଇଥିଲେ । ଏସିଆନ୍ ଗେମ୍ସ, କମନୱେଲ୍ଥ ଗେମ୍ସ, ଏସିଆନ୍ ଚାମ୍ପିଅନ୍ସିପ୍, ସାଉଥ ଏସିଆନ୍ ଗେମ୍, ୱାଲ୍ଡ ଜୁନିଅର ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି ନୀରଜ ।

ତେଣୁ ତାଙ୍କ ଠାରୁ ଟୋକିଓ ଅଲିମ୍ପିକ୍ସରୁ ଗୋଲ୍ଡ ମେଡାଲ ଆଶା କରୁଛି ଭାରତ । ଆଜି ଅପରାହ୍ଣ ସାଢ଼େ ୪ଟା ସମୟରେ ଜାଭେଲିନ୍ ଥ୍ରୋ ଫାଇନାଲ ଖେଳାଯିବ । ଅନ୍ୟପଟେ ୬୫ କେଜି ଫ୍ରି-ଷ୍ଟାଇଲ ବର୍ଗରେ ବ୍ରୋଂଜ ପଦକ ପାଇଁ ରେସଲିଂ ରିଙ୍ଗକୁ ଓହ୍ଲାଇବେ ବଜରଙ୍ଗ ପୁନିଆ ।