ଅକ୍ଟୋବରରୁ ବଜାରକୁ ଆସିବ କୋଭାଭାକ୍ସ । କରୋନା ସଂକ୍ରମଣ କ୍ଷେତ୍ରରେ ୯୦ ପ୍ରତିଶତ ପ୍ରଭାବି । ୨୦୨୨ ଆରମ୍ଭରୁ ଛୋଟ ପିଲାଙ୍କ ପାଇଁ ବି ହେବ ଉପଲବ୍ଧ ।

299

କନକ ବ୍ୟୁରୋ: ଭାରତକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଆମେରିକା ଫାର୍ମାସ୍ୟୁଟିକାଲ୍ସ ଫାର୍ମାର କରୋନା ଟିକା କୋଭାଭାକ୍ସ ଉଭୟ ପ୍ରାପ୍ତ ବୟସ୍କ ଓ ଶିଶୁଙ୍କ ପାଇଁ ଶୀଘ୍ର ଲଞ୍ଚ ହେବ । ଏହି ସୂଚନା ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟ ସିଇଓ ଅଦାର ପୁନାୱାଲା ।

ଅକ୍ଟୋବର ସୁଦ୍ଧା ବୟସ୍କ ଲୋକଙ୍କ ପାଇଁ କୋଭାଭାକ୍ସ ଭାରତରେ ଉପଲବ୍ଧ ହେବ । ସେହିପରି କୋଭାଭାକ୍ସ ଟିକା ଛୋଟ ପିଲାଙ୍କ ପାଇଁ ୨୦୨୨ ଜାନୁୟାରୀରୁ ଫେବୃୟାରୀ ଭିତରେ ଆସିବା ସମ୍ଭାବନା ରହିଛି । ତେବେ ଏହା ଭାରତୀୟ ଔଷଧ ନିୟାନ୍ତ୍ରକ ବା ଡିସିଜିଆଇଙ୍କ ଅନୁମତି ଉପରେ ନିର୍ଭର କରେ ବୋଲି କହିଛନ୍ତି ପୁନାୱାଲା ।

ଆମେରିକା ଫାର୍ମାସ୍ୟୁଟିକାଲ୍ସ ଫାର୍ମା ନୋଭାଭାକ୍ସ ଭାରତରେ କୋଭାଭାକ୍ସ ନାମରେ କରୋନା ଟିକା ଆଣିବାକୁ ଯାଉଛି । ଏହାକୁ ଭାରତ ପାଇଁ ପ୍ରସ୍ତୁତ କରିବାକୁ ଚୁକ୍ତିବଦ୍ଧ ହୋଇଛି ସିରମ ଇନଷ୍ଟିଚ୍ୟୁଟ । ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା କୋଭାଭାକ୍ସ ଟିକା ଭାରତରେ ଉପଲବ୍ଧ ହେବ ବୋଲି ଶୁଣାଯାଉଥିଲା । ସେପଟେ ନୋଭାଭାକ୍ସ ଟିକା ତିଆରି କରିଥିବା କମ୍ପାନୀ ଦାବି କରିଛି କରୋନା ବିରୋଧରେ ୯୪ ପ୍ରତିଶତରୁ ଶହେ ପ୍ରତିଶତ ଫଳପ୍ରଦ ।

ଭାରତରେ ଏବେ ତିନୋଟି ଟିକା ଲୋକଙ୍କୁ ଦିଆଯାଉଛି । କୋଭିସିଲ୍ଡ, କୋଭାକ୍ସିନ ଓ ରୁଷିଆର ସ୍ପୁଟନିକ ଭିକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଏବେ କୋଭାଭାକ୍ସ ଆସିବାକୁ ଯାଉଛି । ଯାହା କରୋନା ମୁକାବିଲାରେ ଭାରତକୁ ଆଉ ଗୋଟିଏ ଅସ୍ତ୍ର ମିଳିବ ବୋଲି କୁହାଯାଉଛି ।