ପ୍ରଥମ ବୈଠକରେ ୧୫ ଦଳ ତ ଦ୍ୱିତୀୟ ବୈଠକରେ ୨୬ ଦଳ । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଆଉ କିଛି ଦଳ ସାମିଲ ହେବା ନେଇ ଆକଳନ

179

କନକ ବ୍ୟୁରୋ : ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ‘ଇଣ୍ଡିଆ’ମେଣ୍ଟର ପ୍ରଥମ ବୈଠକ ଜୁନ ୨୩ ତାରିଖରେ ବିହାରର ପାଟନା ଠାରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ମୋଟ ୧୫ଟି ବିରୋଧୀଦଳ ସାମିଲ ହୋଇଥିଲା । ଏହା ଦ୍ୱିତୀୟ ବୈଠକ ଜୁଲାଇ ୧୭ ଓ ୧୮ ଦୁଇଦିନ ଧରି ବେଙ୍ଗାଲୁରୁରେ ହୋଇଥିଲା । କିନ୍ତୁ ଏହି ବୈଠକରେ ‘ଇଣ୍ଡିଆ’ମେଣ୍ଟରେ ଆଉ ୧୧ଟି ଦଳ ଯୋଗ ଦେଇଥିଲେ । ଅର୍ଥାତ ବେଙ୍ଗାଲୁରୁ ବୈଠକରେ ମୋଟ ୨୬ଟି ଦଳ ଯୋଗ ଦେଇଥିଲେ ।

ଏବେ ଆକଳନ କରାଯାଉଛି କି ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଆଉକିଛି ନୂଆ ଦଳ ମେଣ୍ଟରେ ସାମିଲ ହୋଇପାରନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ସଂକେତ ଦେଇଛନ୍ତି । କେବଳ ନୀତିଶ କୁମାର ନୁହଁନ୍ତି କଂଗ୍ରେସ ପ୍ରବକ୍ତା ପୱନ ଖେଡା ବି ଏଭଳି ସଂକେତ ଦେଇ କହିଛନ୍ତି କି ମୁମ୍ବାଇ ବୈଠକରେ କିଛି ନୂଆ ଦଳ ଯୋଗ ଦେବାର ସମ୍ଭାବନା ରହିଛି ।

କହିରଖୁ କି ଶେଷଥର ବେଙ୍ଗାଲୁରୁରେ ଅନୁଷ୍ଠିିତ ହୋଇଥିବା ବୈଠକରେ ୨୬ଟି ବିରୋଧୀଦଳ ଏକାଠି ହୋଇଥିଲେ । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ ଓ ଅନ୍ୟ ନେତାମାନେ ସାମିଲ ଥିଲେ । ତାଙ୍କ ବ୍ୟତୀତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜେଡିୟୁ ମୁଖ୍ୟ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଡିଏମକେ ନେତା ଏମକେ ଷ୍ଟାର୍ଲିନ ପ୍ରମୁଖ ଯୋଗ ଦେଇଥିଲେ ।