ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ

180

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ପାଖକୁ ଯାଇଛି ନିମନ୍ତ୍ରଣ ପତ୍ର । ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରାଯାଇଛି । ନିମନ୍ତ୍ରଣ ପତ୍ରରେ ଓଲାଗି ହୋଇଥିବା ବାନା ଓ ମହାପ୍ରସାଦ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ବି ବିସ୍ତୁତ ତଥ୍ୟ ଅଛି । କାଲିଠାରୁ ସେବାୟତ ଦୁଇଭାଗରେ ବିଭକ୍ତ ହୋଇ ନିମନ୍ତ୍ରଣ ପାଇଁ ଯିବେ । ରାଜ୍ୟ ବାହାରକୁ ୧୭ଟି ଟିମ ଓ ରାଜ୍ୟ ଭିତରେ ୧୪ଟି ଟିମ୍ ରହିବେ । ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପରେ ଟିମ କାମ କରିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିମନ୍ତ୍ରଣ ପତ୍ର । ଶୁଭବେଳାରେ ବାହାରିବା ପରେ ପାଟ ପଟୁଆରରେ ଶ୍ରୀମନ୍ଦିରକୁ ପ୍ରଥମେ ଯାଇଛି ନିମନ୍ତ୍ରଣ । ଆଉ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରାଯାଇଛି । ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆଉ ପ୍ରକଳ୍ପ ପାଇଁ ପୁରୀ ଆସିବାକୁ ଥିବା ଅତିଥିଙ୍କୁ ଏହି ନିମନ୍ତ୍ରଣ ପତ୍ର ଦିଆଯିବ ।

-୨୬ରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ହେବ ନିମନ୍ତ୍ରଣ
-ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ନିମନ୍ତ୍ରଣ ଯିବ
-ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିରକୁ ଯିବ ନିମନ୍ତ୍ରଣ ପତ୍ର
-ଚାରିଧାମ ଓ ୪ ଶଙ୍କରାଚାର୍ଯ୍ୟଙ୍କୁ ବି ନିମନ୍ତ୍ରଣ କରାଯିବ
-ବିଦେଶରେ ଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ବି ଡକାଯିବ

ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିମନ୍ତ୍ରଣ ପତ୍ର ବେଶ ଆକର୍ଷକ ହୋଇଛି । ଶୁକ୍ରବାରଠାରୁ ଏହାକୁ ବଂଟାଯିବା କାମ ଆରମ୍ଭ ହେବ । ନିମନ୍ତ୍ରଣ ପତ୍ର ଓଡିଆ, ହିନ୍ଦୀ ଓ ଇଂରାଜୀ ଏଭଳି ୩ଟି ଭାଷାରେ ରହିଛି । ଏଥିରେ ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ସହ ମହାପ୍ରସାଦ ଓ ଶ୍ରୀମନ୍ଦିରରେ ଓଲାଗି ହୋଇଥିବା ବାନା ରହିଛି । ସବୁଠାରୁ ବଡ କଥା ହେଲା ଚାରିଧାମ ଓ ସବୁ ଧାମର ଶଙ୍କରାଚାର୍ଯ୍ୟଙ୍କୁ ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଯିବ

୧. ପ୍ରଥମ ଧାମ-ପୁରୀ ଶ୍ରୀଜଗନ୍ନାଥ ମନ୍ଦିର , ଶଙ୍କରାଚାର୍ଯ୍ୟ-ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
୨. ଦ୍ୱିତୀୟ ଧାମ-ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିର, ଶଙ୍କରାଚାର୍ଯ୍ୟ-ଶ୍ରୀ ଭାରତୀ ତୀର୍ଥ
୩. ତୃତୀୟ ଧାମ-ଦ୍ୱାରକାର ଦ୍ୱାରକାଧୀଶ ମନ୍ଦିର, ଶଙ୍କରାଚାର୍ଯ୍ୟ-ସ୍ୱାମୀ ସଦାନନ୍ଦ ସରସ୍ୱତୀ
୪. ଚତୁର୍ଥ ଧାମ-ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିର, ଶଙ୍କରାଚାର୍ଯ୍ୟ-ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ସାମିଲ ହେବ । ଏହାଛଡା ରାଜ୍ୟ, ଦେଶ ତଥା ବିଦେଶର ଅନେକ ଅତିଥି ଯୋଗଦେବେ । ଗଜପତି ମହାରାଜ ଯଜ୍ଞର ପୂର୍ଣ୍ଣାହୂତି ଦେବେ ।