ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି!

166

କନକ ବ୍ୟୁରୋ: ସ୍ମାର୍ଟସିଟି ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି କଲେରା । ଶହ ଶହ ଲୋକ କଲେରାରେ ଆକ୍ରାନ୍ତ ହେବା, ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜନୀତି । ..

ରାଉରକେଲାରେ ସ୍ଥିତି ସୁଧୁରୁଥିବା କୁହାଯାଉଥିବାବେଳେ ପୁଣି ଜଣଙ୍କ ଜୀବନ ନେଇଛି ହଇଜା । ଆଇଜିଏଚରେ ଚିକିିତ୍ସାଧୀନ ଅବସ୍ଥାରେ ୪୧ବର୍ଷିୟ ସାବିତ୍ରୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଝାଡାବାନ୍ତି ହେବା ପରେ ଗତ ସୋମବାର ସେ ହସ୍ପିଟାଲରେ ଭର୍ତି ହୋଇଥିଲେ । ହେଲେ, ମାରାତ୍ମକ କଲେରା କବଳରୁ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନି । ସରକାରୀ ଭାବେ ସ୍ପଷ୍ଟ କରାଯାଇନଥିଲେ ବି ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଉଦବେଗର କଥା ହେଉଛି, ପୂର୍ବରୁ ସାବିତ୍ରୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ସାବିତ୍ରୀଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଛନ୍ତି ୩ଝିଅ ।

ରାଉରକେଲାର ହଇଜା ଖବର ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚହଳ ସୃଷ୍ଟି କରିଥିବାବେଳେ, ପ୍ରଶାସନ ପକ୍ଷରୁ ଚାଲିଛି ଘନଘନ ବୈଠକ । ବୁଧବାର ସ୍ୱାସ୍ଥ୍ୟ ସଚିବଙ୍କ ଅଧିନରେ ସ୍ୱତନ୍ତ୍ର ଟିମ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ପରେ, ଗୁରୁବାର ଆରଜିଏଚ ନିର୍ଦ୍ଦେଶଙ୍କ ସହ ଏସସିବିର ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ ଆଲୋଚନା କରିଛନ୍ତି । ଏସସିବିର ୪ଜଣିଆ ଡାକ୍ତରୀ ଦଳ ସହ ଜଣେ ଟେକ୍ନିସିଆନ ଓ ଆରଏମ୍ଆରସିର ଦୁଇ ଜଣ ବୈଜ୍ଞାନିକ ରାଉରକେଲାରେ ପରିସ୍ଥିତର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ରାଉରକେଲାରେ ରୋଗୀଙ୍କ ସଂଖ୍ୟା କମୁଥିବା ସୂଚନା ଦେଇଛନ୍ତି ରାଉରକେଲା ଏଡିଏମ ।

ରାଉରକେଲାରେ ହଇଜା ବ୍ୟାପିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏଥିପାଇଁ ୱାଟକୋକୁ ଦାୟୀ କରି ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ କରାଯାଇଛି ।.. ଅନ୍ୟପଟେ ଯୁବ ସମାଜସେବୀ ମୁକ୍ତିକାନ୍ତ ମଣ୍ଡଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା ଦେଇଛନ୍ତି । ହଇଜାରେ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରିବା ସହ ରାଉରକେଲା ବାସୀଙ୍କ ଅଧିକାରୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, ସ୍ଥିତିରେ ସୁଧାର ଆସୁଛି ।

ଶତାଧିକ ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବି ଆଶ୍ୱସ୍ତିର କଥା ହେଉଛି, ପାଣି ଯୋଗୁଁ ହଇଜା ବ୍ୟାପୁଥିବା ଜଣାପଡିବା ପରେ, ୱାଟକୋ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଯେଉଁ ସ୍ଥାନମାନଙ୍କରେ ପାଇପରେ ମଇଳା ପାଣି ମିଶୁଥିଲା, ସେହି ସବୁ ସ୍ଥାନରେ ଯାଂଚ କରି ପାଇପକୁ ବଦଳା ଯାଇଛି । ଆଉ ଏବେ ପରିଷ୍କାର ପାଣି ଆସୁଥିବା ଦେଖିବାକୁ ମିଳିଛି ।