ଶ୍ୱେତପତ୍ରରେ ଚମକାଇଲା ଭଳି ତଥ୍ୟ: ଗୋଟିଏ ବର୍ଷରେ ରାଜ୍ୟରେ ୧, ୫୫, ୪୨୦ ଧର୍ତ୍ତବ୍ୟ ଅପରାଧ ମାମଲା

123

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବ ଶ୍ୱେତପତ୍ର ଅନୁଯାୟୀ ୨୦୨୧ ମସିହାରେ ଓଡ଼ିଶାରେ ମୋଟ୍ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ରହିଛି ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ ଲୁଣ୍ଠନ, ୫୧୩୩ ସିନ୍ଧିଚୋରି, ୧୩,୦୨୪ ଚୋରି, ୫୧୩୮ ପ୍ରତାରଣା, ୨୨୨୦ ଦଙ୍ଗା, ୩୩୨୭ ଦୁଷ୍କର୍ମ, ୧୦,୯୮୩ ମୋଟରଯାନ ଦୁର୍ଘଟଣା‌ ଓ ୧,୧୦,୮୨୩ ଅନ୍ୟାନ୍ୟ ମାମଲା। ଏହା ମଧ୍ୟରୁ ମୋଟ୍ ୧,୪୯,୨୩୨ଟି ମାମଲା ସତ୍ୟ ଉପରେ ଆଧାରିତ ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି। ମାତ୍ର ବର୍ଷ ‌ଶେଷ ସୁଦ୍ଧା ମୋଟ୍‌ ୧,୦୬,୨୮୩ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଅର୍ଥାତ ୪୯ ହଜାର ୧୩୭ ଗୋଟି ଅପରାଧିକ ମାମଲାରେ ଚାର୍ଜସିଟ ଦାଖଲ କରି ପାରିନାହିଁ ରାଜ୍ୟ ପୁଲିସ ।

ସେହିପରି ୨୦୨୦ରେ ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ଥିଲା ୧,୩୪,୨୩୦। ଯୌତୁକ ଜନିତ ମାମଲା ମଧ୍ୟ ଚିନ୍ତାଜନକ ରହିଛି। ୨୦୨୦ରେ ୪୦୮୮ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୦୮୦ ରହିଛି । ଏହା ମଧ୍ୟରୁ ୩୭୦୭ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ୨୯୮ଟି ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟରୁ ୧୮୧ଟିରେ ଚାର୍ଜସିଟ୍‌ ଦାଖଲ ହୋଇଛି। ୧୨୯ଟି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି।

୨୦୨୦ ତୁଳନାରେ ରାଜ୍ୟରେ ଲୁଣ୍ଠନ ମାମଲା ମଧ୍ୟ ବଢ଼ିଛି। ୨୦୨୧ରେ ୨୦୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ତାହା ମଧ୍ୟରୁ ୩୦୭ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏହି ମାମଲାଗୁଡ଼ିକରେ ୫୪୨ ଜଣ ଅପରାଧୀ ସଂପୃକ୍ତ ଥିଲା ବେଳେ ୪୨୫ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି।