ଶ୍ରୀଲଙ୍କା ବାଛିଲା ନୂଆ ରାଷ୍ଟ୍ରପତି : ତ୍ରିକୋଣୀୟ ମୁକାବିଲାରେ ବିଜୟୀ ହେଲେ ରାନିଲ ବିକ୍ରମସିଂଘେ

140

କନକ ବ୍ୟୁରୋ : ରାନିଲ୍ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ଶ୍ରୀଲଙ୍କା ସଂସଦ ତାଙ୍କୁ ଦେଶର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି । ପୋଷ୍ଟାଲ ବାଲାଟରେ ହୋଇଥିବା ଭୋଟିଂରେ ରାନିଲଙ୍କ ସପକ୍ଷରେ ୧୩୪ ଜଣ ସାଂସଦ ମତଦାନ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦୁଲ୍ଲାସ ଅଲ୍ଲାପେରୁମା ୮୨ ଭୋଟ୍ ପାଇଥିବା ବେଳେ ଅନୁରା କୁମାରା ଦିସାନାୟକେ ମାତ୍ର ୩ ଖଣ୍ଡ ଭୋଟ୍ ପାଇଛନ୍ତି । ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କା ସଂସଦରେ ସମସ୍ତ ସାଂସଦ ଉପସ୍ଥିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ମଧ୍ୟ ଉପସ୍ଥିତ ରହିଥିଲେ ।

ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଏବଂ ବିଦେଶକୁ ପଳାୟନ କରିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ପରେ ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଉଥିଲେ । ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ରାଜଧାନୀ କଲମ୍ବୋରେ ରାଷ୍ଟ୍ରପତି ସଚିବାଳୟରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ବିରୋଧରେ ଜନତାଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ଏପରିକି ରାନିଲଙ୍କ ବିରୋଧରେ କିଛି ଲୋକେ ମଉନ ପ୍ରତିବାଦ ମଧ୍ୟ କରିଥିଲେ । ଶ୍ରୀଲଙ୍କାର ସଂସଦରେ ୪୪ ବର୍ଷ ପରେ ପ୍ରଥମଥର ଆଜି ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ ହୋଇଛି ।

ଏହାପୂର୍ବରୁ ୧୯୯୩ରେ ତକ୍ରାଳୀନ ରାଷ୍ଟ୍ରପତି ରଣସିଂଘେ ପ୍ରେମଦାସାଙ୍କୁ ହତ୍ୟା କରାଯାଇଥିଲା । ଯାହା ପରେ ରାଷ୍ଟ୍ରପତି ପଦ ଖାଲି ପଡ଼ିଥିଲା । ସେହି ସମୟରେ ଡିବି ବିଜେତୁଙ୍ଗାଙ୍କୁ ସଂସଦ ସର୍ବସମ୍ମତି କ୍ରମେ ରାଷ୍ଟ୍ରପତି ଦାୟିତ୍ୱ ହସ୍ତାନ୍ତର କରିଥିଲା । ଏଥର ରାଷ୍ଟ୍ରପତି ଦୌଡ଼ରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ବ୍ୟତୀତ ଦୁଲ୍ଲାସ ଅଲ୍ଲାପେରୁମା ଓ ଅନୁରା କୁମାରା ଦିସାନାୟକେ ମଇଦାନରେ ଥିଲେ । ବହୁମତ ପାଇଁ ୨୨୫ ସାଂସଦଙ୍କ ମଧ୍ୟରୁ ୧୧୩ ଜଣଙ୍କର ସମର୍ଥନ ଆବଶ୍ୟକ ଥିଲା । ରାନିଲ ୧୩୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ।

ରାନିଲ ବିକ୍ରମସିଂଘେ କିଏ ?

– ଶ୍ରୀଲଙ୍କାର ୯ମ ରାଷ୍ଟ୍ରପତି ହୋଇଛନ୍ତି ରାନିଲ ବିକ୍ରମସିଂଘେ
– ରାଜନୀତିରେ ରହିଛି ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା
– ବିକ୍ରମସିଂଘେ ୧୯୭୦ ମସିହାରେ ରାଜନୀତିରେ ପାଦ ଦେଇଥିଲେ
– ୟୁନାଇଟେଡ୍ ନ୍ୟାସନାଲ ପାର୍ଟିର ମୁଖ୍ୟ ଥିଲେ
– ନିଜ ଦଳର ଜଣେ ମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ
– ରାନିଲ ୧୯୯୩ରୁ ୨୦୧୯ ମଧ୍ୟରେ ଶ୍ରୀଲଙ୍କାର ୫ଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ
– ୧୯୭୭ରେ ବିକ୍ରମସିଂଘେ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ
– ୨ଥର ବିରୋଧୀ ଦଳ ନେତା ବି ରହିଛନ୍ତି ବିକ୍ରମସିଂଘେ
– ଗତ ମେ ମାସରେ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ
– ୧୪ ଜୁଲାଇରେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହୋଇଥିଲେ
– ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଫେରାର ହେବା ପରେ ନୂଆ ଦାୟିତ୍ୱ ମିଳିଥିଲା
– ଏବେ ରାଷ୍ଟ୍ରପତି ନିର୍ବାଚନରେ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାହିଁକି ?

– ୨୦୧୦ରୁ ଶ୍ରୀଲଙ୍କାରେ ଋଣ ଭାର ବଢି ଚାଲିଛି
– ଚୀନ, ଜାପାନ, ଭାରତରୁ ଅଣାଯାଇଥିବା ଋଣ ଠିକ୍ ଭାବେ ବିନିଯୋଗ ହୋଇନି
– ଅନ୍ତର୍ଜାତୀୟ ବଜାରରୁ ମଧ୍ୟ ବିପୁଳ ଋଣ କରି ପରିଶୋଧ କରିପାରିନି ଶ୍ରୀଲଙ୍କା
– ୨୦୧୯ରେ ଗୋଟବାୟା ଟିକସ ହ୍ରାସ କରିବା ବୁମେରାଂ ହୋଇଥିଲା
– ଟିକସ ହ୍ରାସ ଯୋଗୁ ଦେଶର ଲୋକଙ୍କୁ ଫାଇଦା ମିଳିଥିଲା
– କିନ୍ତୁ ସରକାରୀ ରାଜକୋଷ ୩୦ ପ୍ରତିଶତ ଖାଲି ହୋଇଯାଇଥିଲା
– କୋଭିଡ୍ ମହାମାରୀ ଯୋଗୁ ପର୍ଯ୍ୟଟନ ଶିଳ୍ପ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି
– ଦେଶରେ ପର୍ଯ୍ୟଟନ ଶିଳ୍ପର ଆୟ ତୃତୀୟ ସର୍ବବୃହତ୍ ମାଧ୍ୟମ ଥିଲା
– ୨୦୧୮ରେ ଦେଶକୁ ୨୩ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଥିଲେ
– ୨୦୧୯ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୯ ଲକ୍ଷକୁ ହ୍ରାସ ପାଇଥିଲା
– କରୋନା ଯୋଗୁ ୨୦୨୦ ଓ ୨୦୨୧ରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିଲା
– ସରକାର ଦେଶରେ ଅର୍ଗାନିକ୍ ଫାର୍ମକୁ ଅଗ୍ରାଧିକାର ଦେବାକୁ ଚେଷ୍ଟା କରିଥିଲେ
– ରାସାୟନିକ ସାର ଓ କୀଟନାଶକ ପ୍ରୟୋଗକୁ ସଂପୂର୍ଣ୍ଣ ବନ୍ଦ କରିଦେଲେ
– ଫଳରେ ଧାନ ଓ ଅନ୍ୟାନ୍ୟ ଫସଲର ଉତ୍ପାଦନ ହ୍ରାସ ପାଇଥିଲା
– ଉତ୍ପାଦନ ହ୍ରାସ ଯୋଗୁ ଦେଶରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଥିଲା