୨୦୨୩ରେ ଚୀନରେ ହେବ କରୋନାର ବିସ୍ଫୋରଣ ! ବିଶେଷଜ୍ଞଙ୍କ ଆକଳନ ବଢାଇଲା ଚିନ୍ତା

183

କନକ ବ୍ୟୁରୋ : ୨୦୨୩ରେ ଚୀନରେ ହେବ କରୋନାର ବିସ୍ଫୋରଣ । ଚୀନର ଏକ ତୃତୀୟାଂଶ ଲୋକେ ଏଥିରେ ସଂକ୍ରମିତ ହେବେ । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବ । ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି । ଆମେରିକାର ଚିକାଗୋ ସ୍ଥିତ ଇନଷ୍ଟିଚ୍ୟୁଟ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ ଏହି ଆକଳନ କରିଛି । ଜନସାଧାରଣଙ୍କ ବିକ୍ଷୋଭ ଯୋଗୁ ଚୀନରେ କରୋନା କଟକଣା କୋହଳ କରିଦିଆଯାଇଛି । ଯେଉଁଥି ପାଇଁ ଚୀନରେ କୋଭିଡର ଆଉ ଲହର ଆସିବ ବୋଲି କୁହାଯାଉଛି ।

ବିଶେଷଜ୍ଞଙ୍କ ଅନୁଯାୟୀ , ଏପ୍ରିଲ ପହିଲା ସୁଦ୍ଧା ଚୀନରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବ । ଏଥିସହ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୨ ହଜାରରେ ପହଂଚିପାରେ । ଚୀନରେ ଅନେକ ଲୋକ କରୋନା ଟିକା ନେଇନାହାଁନ୍ତି । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଅଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆକଳନ କରାଯାଉଛି । ଚୀନରେ ଏବେ ସଂକ୍ରମଣ ବଢୁଥିବା ବେଳେ କୋଭିଡ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପରିକି ଶବ ଦାହ କରିବାକୁ ଲୋକଙ୍କୁ ୩ ଦିନ ଅପେକ୍ଷା କରିବାକୁ ପଡୁଛି । ଯାହା ଏବେ ଚୀନର ଚିନ୍ତାକୁ ବଢାଇଦେଇଛି । ଦେଶର ଏଭଳି ସ୍ଥତିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଚୀନ ଭାରତ ସହ ପଡୋଶୀ ଦେଶମାନଙ୍କ ସହ ଝଗଡା ସୃଷ୍ଟି କରୁଛି ।