ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ: କହିଲେ, ୨୦୨୩ରେ ଜିଲ୍ଲା ହେବ ପଦ୍ମପୁର

173

କନକ ବ୍ୟୁରୋ: ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ଶେଷ ସୁଦ୍ଧା ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ନବୀନ ଘୋଷଣା କରିଛନ୍ତି । ସେ କହିଥିଲେ, ପଦ୍ମପୁର ଜିଲ୍ଲା ଆପଣଙ୍କ ଦାବି ଥିଲା । ୨୦୨୩ରେ ଆପଣମାନଙ୍କ ସ୍ୱପ୍ନ ସାକାର ହେବ । ୨୦୨୩ ଶେଷ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରାଯିବ ।

ସଭାରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ନିର୍ବାଚନୀ ସଭାରେ ନବୀନ କହିଲେ ବିଜେଡି ଗରିବ ଲୋକଙ୍କ ହକ୍ ପାଇଁ ଲଢୁଛି । କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮ପ୍ରତିଶତ ଜିଏସଟି ଲଗାଉଛି ହେଲେ ସୁନା ଦୋକାନୀ ମାତ୍ର ୩ପ୍ରତିଶତ ଜିଏସଟି ଦେଉଛନ୍ତି । ଫସଲବୀମା ଯୋଜନା କେନ୍ଦ୍ରର । ପଦ୍ମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡିରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନୀଦ ଭାଙ୍ଗିଲା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

ଚାଷୀଙ୍କ ହକ୍ ପାଇଁ ରାଜ୍ୟ ସରକାର ଲଢେଇ ଜାରି ରଖିଛନ୍ତି । ସେହିପରି ଆଦିବାସୀଙ୍କ ବିକାଶ ପାଇଁ ସରକାର କାମ କରୁଥିବା କହିଛନ୍ତି ବିଜେଡି ସୁପ୍ରିମୋ । ଝାରବନ୍ଧ ଓ ପାଇକମାଳରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ ପଟ୍ଟନାୟକ ।