ରୁଷୀୟ ପର୍ଯ୍ୟଟକଙ୍କର କେମିତି ହେଲା ମୃତ୍ୟୁ? ରାୟଗଡା ଏସପିଙ୍କୁ ରିପୋର୍ଟ ମାଗିଲେ ଏନଏଚଆରସି

101

କନକ ବ୍ୟୁରୋ: ରାୟଗଡା ହୋଟେଲରେ ରୁଷୀୟ ପର୍ଯ୍ୟଟକଙ୍କ କେମିତି ମୃତ୍ୟୁ ହେଲା? କିଭଳି ଓ କେଉଁ ପରିସ୍ଥିତିରେ ମାତ୍ର ୪୮ଘଂଟା ଭିତରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା? ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? ସେ ନେଇ ରାୟଗଡା ଏସପିଙ୍କ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟର ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନ ରାୟଗଡା ଏସପିଙ୍କୁ ପକ୍ଷଭୁକ୍ତ କରି ଓଡ଼ିଶା ପୁଲିସ ଡିଜିଙ୍କୁ ନୋଟିସ୍ ପଠାଇଛନ୍ତି ।

ସେପଟେ ରହସ୍ୟ ଖୋଲିବା ପାଇଁ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ । ଫୋରେନସିକ୍ ଓ ସାଇଂଟିଫିକ୍ ଟିମ୍ ଶ୍ମଶାନରୁ ସଂଗ୍ରହ କରିଥିବା, ହାଡ ଓ ପାଉଁଶର ଡିଏନଏ ପରୀକ୍ଷଣ ପାଇଁ ଭୁବନେଶ୍ୱର ଲାବକୁ ପଠାଯାଇଛି । ଏଥିସହ ହୋଟେଲରୁ ଜବତ କରିଥିବା ମୃତକଙ୍କ ଲ୍ୟାପଟପ୍, ମୋବାଇଲ, ପାସପୋର୍ଟରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଛି । ତେବେ ଆବଶ୍ୟକ ପଡିଲେ ଇଂଟରପୋଲର ସହାୟତା ନିଆଯାଇପାରେ ବୋଲି ରବିବାର ସୂଚନା ଦେଇଥିଲେ ନିଜେ ପୁଲିସ୍ ଡିଜି ।

ଏଥିସହ ମୃତ୍ୟୁ ପୂର୍ବରୁ ପାଭେଲ ଆଂଟୋଭ କାହା ସହ ମୋବାଇଲ୍ରେ କଥା ହୋଇଥିଲେ? କେଉଁମାନଙ୍କ ସହ ଚାଟିଂ କରିଥିଲେ? କାହାକୁ ଇ-ମେଲ୍ କରିଥିଲେ ? ରୁଷ୍ ପର୍ଯ୍ୟଟକ ରହିବା ସମୟରେ ହୋଟେଲକୁ କେଉଁମାନେ ଆସିଥିଲେ? ସେସବୁର ବିସ୍ତୃତ ତଥ୍ୟ ଜଣାପଡିଲେ ପାଭେଲଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ସହଜ ହେବ ବୋଲି ଆଶା ରଖିଛି କ୍ରାଇମବ୍ରାଂଚ ଟିମ୍ ।