ରାଜଧାନୀରେ ରେକର୍ଡ ଭାଙ୍ଗିଲା ବାଦଲ ଫଟା ବର୍ଷା : ୬ ଘଣ୍ଟାରେ ୨୫୮ ମିଲିମିଟର ବର୍ଷା ରେକର୍ଡ

286

କନକ ବ୍ୟୁରୋ : ମାତ୍ର କିଛି ଘଣ୍ଟାର ବର୍ଷାରେ ବେହାଲ ହୋଇଛି ରାଜଧାନୀ । ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପଶିଛି ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସକିଲ ହୋଇପଡିଥିଲା । ସୋମବାର ରାଜଧାନୀରେ ହୋଇଥିବା ବାଦଲ ଫଟା ବର୍ଷା ଦଶନ୍ଧି ଭିତରେ ଦେଖିବାକୁ ମିଳିନଥିଲା । ଦିନ ୨ଟାରୁ ଆରମ୍ଭ ହୋଇଥିବା ବର୍ଷା ସନ୍ଧ୍ୟା ୬ଟା ଯାଏଁ ଲାଗି ରହିଥିଲା ।

ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଭୁବନେଶ୍ୱରରେ ୧୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ତେବେ ରାତି ୮ଟା ବେଳକୁ ବର୍ଷା ପରିମାଣ ୨୫୮ ମିଲିମିଟର ଥିଲା । ଯାହା ଗତ ୧୨ ବର୍ଷରେ ସର୍ବାଧିକ । କେବଳ ସେତିକି ନୁହେଁ, ବାଦଲ ଫଟା ବର୍ଷା ସାଙ୍ଗକୁ ୩ ଘଣ୍ଟାରେ ପ୍ରାୟ ୨୫ହଜାରରୁ ଅଧିକ ବିଜୁଳି ରାଜଧାନୀ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଚମକିଥିବା ରେକର୍ଡ କରାଯାଇଛି ।