ଶେଷରେ ଜୀବନ ବାଜି ହାରିଗଲେ ସନ୍ଦୀପ୍ ହାତୀ : ହୋମଗାର୍ଡ ଚାକିରୀ ନପାଇ ନବୀନ ନିବାସ ଆଗରେ ଦେଇଥିଲେ ଆତ୍ମହୁତି

39

ଶେଷ ଯାତ୍ରାରେ ସନ୍ଦୀପ ହାତୀ । ଇଏ ଏକ ଏମିତି କାହାଣୀ, ଯାହା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଛି । ଚାକିରୀରୁ ଛଟେଇ ହେବା ପରେ ସନ୍ଦୀପ ଦାବି କରୁଥିଲେ ତାଙ୍କୁ ପୁନଃନିଯୁକ୍ତି ଦିଆଯାଉ । କିନ୍ତୁ କେହି କର୍ଣ୍ଣପାତ କଲେ ନାହିଁ। ଆଉ ତାର ପରିଣାମ ଆପଣଙ୍କ ଆଗରେ । ରବିବାର ସକାଳେ ଜୀବନ ଯୁଦ୍ଧରେ ହାରିଗଲେ ସନ୍ଦୀପ ।

ଗତ ଶୁକ୍ରବାର ଦିନ ହୋମଗାର୍ଡ ପଦବୀର ଛଟେଇ ପ୍ରତିବାଦରେ ନବୀନ ନିବାସ ଆଗରେ କିରୋସିନ୍ ଢ଼ାଳି ନିଆଁ ଲଗାଇ ଦେଲେ ସନ୍ଦୀପ । ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଗଲା । କିନ୍ତୁ ସେତେବେଳକୁ ତାଙ୍କ ଦେହର ୬୫ରୁ ୭୦ ପ୍ରତିଶତ ପୋଡ଼ି ଯାଇଥାଏ । ଏହା ପରେ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଦିଆଗଲା । କିନ୍ତୁ ସନ୍ଦୀପ ଆଉ ବଂଚିପାରିଲେ ନାହିଁ । ସବୁବେଳେ ଅବହେଳିତ ହୋଇ ପଡ଼ିରହିଥିବା ହୋମଗାର୍ଡ ସଂପ୍ରଦାୟ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସନ୍ଦୀପଙ୍କ ଲକ୍ଷ୍ୟ ଥିଲା । ଏଣୁ ଏଭଳି ଏକ ଚରମ ପଦକ୍ଷେପ ନେଲେ ।

୨୦୧୩ ମସିହା, ମାର୍ଚ୍ଚ ମାସ । ବହୁ ସଂଖ୍ୟାରେ ହୋମଗାର୍ଡମାନେ ସାମାଜିକ ସୁରକ୍ଷା ଏବଂ ଦରମାବୃଦ୍ଧି ଦାବି କରି ବିରାଟ ଆନ୍ଦୋଳନ କଲେ । ଆଉ ଆନ୍ଦୋଳନ ସମୟରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଗଲା । ଲାଠିଚାର୍ଚ୍ଚ ବି ହେଲା । କିନ୍ତୁ ପରବର୍ତୀ ସମୟରେ ଆନ୍ଦୋଳନକାରୀ ହୋମଗାର୍ଡଙ୍କୁ ଟାର୍ଗେଟ୍ କଲା ପୁଲିସ । ସିସିଟିଭିରେ ଖୋଜା ଖୋଜି ହୋମଗାର୍ଡଙ୍କୁ ଚିହ୍ନାଗଲା । ଆଉ ଆନ୍ଦୋଳନରେ ସାମିଲ ହୋଇଥିବା ସନ୍ଦୀପ ହାତୀଙ୍କୁ ବି ଛଟେଇ କରିଦିଆଗଲା ।

ଦିନକୁ ମାତ୍ର ୨୪୦ ଟଙ୍କାର ଭତା। ଆଉ କିଛି ସମାଜିକ ସୁରକ୍ଷା କିଛି ବି ମିଳେନାହିଁ । ଏଭଳି ଦୟନୀୟ ପରିସ୍ଥିତିରେ ଆନ୍ଦୋଳନ କରିବା କ’ଣ ଭୁଲ ? ଯେଉଁଥି ପାଇଁ ସନ୍ଦୀପ ହାତୀଙ୍କୁ ଏହି ଛୋଟିଆ ଚାକିରିରୁ ବି ଛଟେଇ କରିଦିଆଗଲା । ଗୁଜୁରାଣ ମେଂଟାଇବାକୁ ସନ୍ଦୀପ ଦାବି କରୁଥିଲେ, ପୁଣି ତାଙ୍କୁ ହୋମଗାର୍ଡ ଚାକିରିରେ ଅବସ୍ଥାପିତ କରାଯାଉ । କିନ୍ତୁ କେହି ଶୁଣିଲେ ନାହିଁ । ଆଉ ଇଏ ହେଉଛି ତାର ପରିଣାମ ।

ଦେଖନ୍ତୁ ଏହି ଭିଡିଓ –