ଚଳିତ ଋତୁରେ ପ୍ରଥମ ଥର ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳଭଣ୍ଡାର : ସବୋର୍ଚ୍ଚ ୬୩୦ ଫୁଟରେ ପହଞ୍ଚିଲା ଜଳସ୍ତର

438

କନକ ବ୍ୟୁରୋ : ଚଳିତ ଋତୁରେ ହୀରାକୁଦ ଜଳଭଣ୍ଡାର ପ୍ରଥମ ଥର ମ୍ୟାଜିକ୍ ନମ୍ବର ଛୁଇଁଲା । ସବୋର୍ଚ୍ଚ ୬୩୦ ଫୁଟରେ ଜଳସ୍ତର ପହଞ୍ଚିଛି । ମଙ୍ଗଳବାର ରାତିରୁ ଓପିଟିସିଏଲ୍‌ର କଣ୍ଟାପାଲି ଫିଡର୍‌-୨ରେ ସମସ୍ୟା କାରଣରୁ ବୁର୍ଲା ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରର ୨ଟି ୟୁନିଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରାଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ପାୱାର୍‌ ଚାନେଲ୍ ଜରିଆରେ ଯେତିକି ପାଣି ନେବା କଥା, ସେତିକି ନେଇପାରୁ ନାହିଁ । ସେହି କାରଣରୁ ଜଳସ୍ତର ୬୩୦ ଫୁଟ୍‌ରେ ସ୍ଥିର ରଖିବା ପାଇଁ ବୁଧବାର ରାତି ୮ଟା ବେଳେ ହୀରାକୁଦର ପୁଣି ଗୋଟିଏ ଗେଟ୍ ଖୋଲାଯାଇଛି ।

ଗେଟ୍‌ ଖୋଲିବା ପାଇଁ ସଂଧ୍ୟା ୬ଟାରୁ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା । ଏହାପରେ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ଫିଡର୍ ସଜାଡ଼ିବାରେ ଲାଗିଛନ୍ତି । ଏହା ଠିକ୍ ହେବାପରେ ବୁର୍ଲା ପାୱାର୍‌ ହାଉସ୍‌ ପୁଣି ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରିବ ଓ ଜଳଭଣ୍ଡାରରୁ ପାଣି ଯୋଗାଇ ଦିଆଯିବ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଓଏଚ୍‌ପିସିର ମୁଖ୍ୟ ମହାପ୍ରବନ୍ଧକ ଦେବାଶିଷ ମିଶ୍ର କହିଛନ୍ତି, ଆମର ୭ଟି ଯାକ ୟୁନିଟ୍ ଠିକ୍ ଅଛି ଓ ୬ଟିରୁ ବିଦ୍ୟୁତ୍ ଉତ୍ପାଦନ ଜାରି ରହିଛି । ଓପିଟିସିଏଲ୍‌ ଫିଡର୍‌ରେ ସମସ୍ୟା କାରଣରୁ ଗୋଟିଏ ୟୁନିଟ୍‌ରୁ ସାମୟିକ ଭାବେ ଉତ୍ପାଦନ ବନ୍ଦ ରହିଛି । ହୀରାକୁଦ ଅପର୍‌ ବେସିନ୍ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ ଯେହେତୁ ଜଳଭଣ୍ଡାରରେ ୬୩୦ ଫୁଟ୍‌ ପାଣି ଭରି ଯାଇଛି, ତେଣୁ ଆମେ ଏହା ଉପରକୁ ପାଣି ରଖିପାରିବୁ ନାହିଁ ।