‘ସରକାର ଆମ ଦୁଃଖ ବୁଝ , ରହିବାକୁ ଘର ଖଣ୍ଡେ ଦିଅ’ : ଦାରିଦ୍ର୍ୟ ଯନ୍ତ୍ରଣା ସହୁଥିବା କୁନିପୁଅର ଗୁହାରୀ

138

କନକ ବ୍ୟୁରୋ: ବାପା ପର ଘରେ ମୂଲ ଲାଗୁଛନ୍ତି । ଏପଟେ ଦୁଇଟା ପିଲାଙ୍କୁ ଧରି ଭଙ୍ଗା କୁଡିଆରେ ପଡିରହିଛି ମା’ । ରହିବାକୁ ମୁଣ୍ଡ ଉପରେ ଛପର ନାହିଁ କି ପେଟକୁ ଦାନା ବି ନାହିଁ । ପ୍ରଶାସନ ବି କିଛି ଶୁଣିବାକୁ ନାରାଜ । ଏପରି ସ୍ଥଳେ ପିଲାଙ୍କୁ ଆଶ୍ରମରେ ଛାଡିଦେଇ ଆତ୍ମହତ୍ୟା କରିବାକୁ ଶ୍ରେୟ ମଣୁଛି ଅସହାୟ ମା’ । ତେଣୁ ସରକାର ଦୟାକଲେ ଜୀବନ ବଞ୍ଚିବ ।

ଏ ହେଉଛି ପୁରୀ ଜିଲ୍ଲା କଣାସ ବ୍ଲକ ମଇନ୍ଦିପୁର ଗାଁର ଗରୀବ ପ୍ରମୋଦ ଘଡେଇଙ୍କ ପରିବାରର ଦୁଃଖ । ପରିବାର ପାଇଁ ଅନ୍ୟତ୍ର ଯାଇ ପରଘରେ ମୂଲ ଲାଗୁଛନ୍ତି ପ୍ରମୋଦ । ମାସକୁ ତାଙ୍କୁ ମିଳୁଛି ମାତ୍ର ୨୦୦ ଶହ ଟଙ୍କା । ସେଥିରୁ ନିଜେ କିଛି ରଖି ଘରକୁ ଯାହା ପଠାଉଛନ୍ତି ତାହା ଦିନ ଦିଇଟାକୁ ନିଅଣ୍ଟ । ଘର ସ୍ତ୍ରୀ ଓ ଦୁଇ ପିଲା ଅତି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଏମାନଙ୍କ ପାଖରେ ନା ରହିବାକୁ ବାସ ଖଣ୍ଡେ ଅଛି ନା ପେଟକୁ ଦାନା ମିଳୁଛି ।
ରହିବାକୁ ଏମାନଙ୍କ ପାଖରେ ଘର ଖଣ୍ଡେ ନାହିଁ । କୁଡିଆ ଉପରେ ଓ ଚାରିପଟେ ଘେରାହୋଇଛି ପଲିଥିନ୍ । ସେ ବି ଫାଟି ଆଁ କରିଛି । ଖରାଦିନ ହେଉକି ବର୍ଷା ଦିନ ଭାରି ହଟହଟା ହେଉଛନ୍ତି ଦୁଇ ପୁଅ ଝିଅଙ୍କୁ ଧରି ରହୁଥିବା ସସ୍ମିତା । ମୋ କୁଡିଆ ହେଉ କି ଇନ୍ଦିରା ଆବାସ ଖଣ୍ଡିଏ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ , ଜିଲ୍ଲାପାଳଙ୍କ ଯାଏଁ ସମସ୍ତଙ୍କୁ ହାରିଗୁହାରୀ କରିସାରିଲେଣି । ହେଲେ କେହି ଶୁଣିବାକୁ ନାରାଜ । ସରକାରୀ ଯୋଜନା ୟାଙ୍କ ପାଇଁ ସାତ ସପନ । ଯେଉଁ ଅଧିକାରୀ ସର୍ଭେ କରିବାକୁ ଆସୁଛନ୍ତି ସେମାନେ ଟଙ୍କା ମାଗୁଛନ୍ତି । ୧୦ / ୨୦ ହଜାର ଟଙ୍କା ପକେଟରେ ଗୁଞ୍ଜି ନଦେଲେ ଘରଟେ ମିଳିବା କଷ୍ଟ ବୋଲି କହୁଛନ୍ତି । ଯାହା ପାଖରେ ଛପରଟେ ନାହିଁ ପେଟକୁ ଦାନା ନାହିଁ ସିଏ ପୁଣି ଏତେ ଟଙ୍କା ଅଣିବା କେଉଁଠୁ? ତେଣୁ ଦୀର୍ଘ ୨୦ ବର୍ଷ ଧରି କଷ୍ଟ ସହି ସବୁଠୁ ନିରାଶ ହେବା ପରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ସସ୍ମିତା । ଦୁଇ ପିଲାଙ୍କୁ ଆଶ୍ରମରେ ଛାଡିଦେଇ ଶେଷରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ପ୍ରମୋଦଙ୍କ ପତ୍ନୀ ସସ୍ମିତା

 ପେଟକୁ ଦାନା ବି ନାହିଁ । ସାହି ପଡିଶାଙ୍କୁ ମାଗିଯାଚି ଯାହା ଚଳୁଛନ୍ତି । ଯିଏ ଯଦି ହାତେଟେକି ଦେଲା ତାହେଲ ପିଲା ଦିଟାଙ୍କୁ ଖୁଆଇ ଦେଇ ବରଂ ନିଜେ ଉପାସ ରହିଯାନ୍ତି ସସ୍ମିତା । ସସ୍ମିତା ଓ ଆଉ ଦୁଇ କୁନି ପିଲାଙ୍କୁ ଦେଖି ସାହିପଡିଶାଙ୍କ ମନ ବି ତରଳି ଯାଉଛି । ସେମାନେ ସାହାଯ୍ୟ କରି କେତେ ଦିନ ବା କରିବେ । ଖାଇବା ଗଣ୍ଡେ ଦେଉଛନ୍ତି, ଝଡି ବର୍ଷା ହେଲେ ଘରକୁ ଡାକିନେଇ ଆଶ୍ରା ଦେଉଛନ୍ତି । ସହିପଡିଶା ବି ପ୍ରଶାସନର ଉଦାସିନତାକୁ ନେଇ କ୍ଷୋଭ ପ୍ରକାଶ କରୁଛନ୍ତି । ହେଲେ ବିଡିଓ ମହାଶୟ କହୁଛନ୍ତି ୨୦୧୯ରୁ କାହାରିକୁ କିଛି ଘର ମିଳିନି । ତେଣୁ ଏଥିପାଇଁ ନିର୍ଦ୍ଦେଶ ଆସିଲେ ଯାଇ ଯାହା ହବ ।

ଦୁଃଖ ଯନ୍ତ୍ରଣା ସହି ସହି ଗୋଟିଏ ପରିବାର ଜୀବନ ହାରିବା ପୂର୍ବରୁ ନିଜର ଭୁଲକୁ ଅନୁଭବ କରି ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ଯୋଗାଇଦେବା ଉଚିତ ମନେହୁଏ ।