ପ୍ରଚଣ୍ଡ ତାତିରେ କଲବଲ ପାଶ୍ଚାତ୍ୟ ଦେଶ : ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ତରଳୁଛି ଏୟାରପୋର୍ଟର ରନୱେ

282

କନକ ବ୍ୟୁରୋ : ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ତରଳୁଛି ଏୟାରପୋର୍ଟର ରନୱେ । ରାଜରାସ୍ତା ହୋଇ ପଡ଼ିଛି ଶୂନଶାନ । ବର୍ତ୍ତମାନ ୟୁରୋପରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପ୍ରବଳ ଗରମରେ ଛଟପଟ ହେଉଛି ୟୁରୋପ । ବ୍ରିଟେନ୍ ଇତିହାସରେ ପ୍ରଥମଥର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଏହା ପୂର୍ବରୁ ୨୦୧୯ରେ ସର୍ବାଧିକ ୩୮ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ବ୍ରିଟେନରେ ପ୍ରଚଣ୍ଡ ତାତିରେ ସ୍ଥିତି ଏମିତି ବିଗିଡ଼ି ଯାଇଛି ଯେ, ସେଠାକାର ଯାତାୟତ ବ୍ୟବସ୍ଥା ମଧ୍ୟ ଦୋହଲି ଯାଇଛି ।

ବ୍ରିଟେନର ଲୁଟର ଏୟାରପୋର୍ଟର ରନୱେର କିଛି ଅଂଶ ତରଳି ଯାଇଛି । ସେହିପରି ଗରମ କାରଣରୁ ବହୁ ସଂଖ୍ୟାରେ ଟ୍ରେନ୍ ବାତିଲ କରାଯାଇଛି । ଇଂଲଣ୍ଡରେ ଲୋକଙ୍କୁ ଟ୍ରେନରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ପରିବହନ ମନ୍ତ୍ରୀଙ୍କ କହିବା ଅନୁସାରେ, ୟୁକେର ରେଲୱେ ନେଟୱର୍କ ପ୍ରଚଣ୍ଡ ଗରମର ସାମ୍ନା କରିପାରୁନାହିଁ । ଏହାକୁ ଅପଗ୍ରେଡ କରିବାକୁ ବର୍ଷ ବର୍ଷ ଲାଗିବ ବୋଲି ସେ କହିଛନ୍ତି । କେବଳ ବ୍ରିଟେନ୍ ନୁହେଁ, ଫ୍ରାନ୍ସ, ପର୍ତୁଗାଲ, ସ୍ପେନ, ଗ୍ରିସ୍ ସମେତ ପୂରା ୟୁରୋପୀୟ ଦେଶଗୁଡ଼ିକ ତତଲାରେ କଲବଲ ହେଉଛନ୍ତି । ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିଛି । ଅଧିକାଂଶ ଲୋକେ ଘରେ ରହି କାମ କରୁଛନ୍ତି ।

ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରେ ପହଂଚିଛି । ତାପମାତ୍ରା ବୃଦ୍ଧି ପାଉଥିବାରୁ କେବଳ ପର୍ତୁଗାଲ ଓ ସ୍ପେନରେ ୧ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ଲଗାତର ୮ ଦିନ ଧରି ହିଟୱେଭ ଜାରି ରହିଛି । ସ୍ପେନରେ ଏପର୍ଯ୍ୟନ୍ତ ୫୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ପର୍ତୁଗାଲରେ ମଧ୍ୟ ସ୍ଥିତି ସାଂଘାତିକ ହୋଇପଡ଼ିଛି ଏବଂ ଏଠାରେ ମଧ୍ୟ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଫ୍ରାନ୍ସରେ ଦୋକାନ ଖୋଲୁଥିବା ବେଳେ ଗ୍ରାହକ ଆସୁନାହାନ୍ତି । ୟୁରୋପୀୟ ଦେଶ ଗୁଡ଼ିକରେ ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପ୍ରଚଣ୍ଡ ତାତି : କଲବଲ ପାଶ୍ଚାତ୍ୟ ଦେଶ

– ବ୍ରିଟେନରେ ସବୁ ରେକର୍ଡ ଭାଙ୍ଗିଲା ତାତି
– ପ୍ରଥମଥର ତାପମାତ୍ରା ୪୦ ଡିଗ୍ରୀ ଉପରେ
– ୨୦୧୯, ଜୁଲାଇ ମାସରେ ହୋଇଥିଲା ସର୍ବାଧିକ ୩୮ ଦଶମିକ ୭ ଡିଗ୍ରୀ ତାପମାତ୍ରା
– ଚଳିତବର୍ଷ ତାପମାତ୍ରା ୪୨ ଡିଗ୍ରୀ ଯାଏଁ ଛୁଇଁବା ସମ୍ଭାବନା
– ବ୍ରିଟେନରେ ହାରାହାରି ତାପମାତ୍ରା ୧୮ରୁ ୨୫ ଡିଗ୍ରୀ ରହିଥାଏ
– ୩୬୩ ବର୍ଷର ରେକର୍ଡ ଭାଙ୍ଗିଲା ବ୍ରିଟେନ୍
– ୱେଲ୍ସରେ ତାପମାତ୍ରା ୩୭ ଦଶମିକ ୧ ଡିଗ୍ରୀ
– ସ୍କଟଲାଣ୍ଡରେ ୩୦ ଡିଗ୍ରୀ ତାପମାତ୍ରା
– ପର୍ତୁଗାଲରେ ୪୭ ଡିଗ୍ରୀ ଛୁଇଁଲା ତାପମାତ୍ରା

କାହିଁକି ବଢ଼ୁଛି ତାତି ?

– ଗ୍ରୀଷ୍ମରେ ଉଚ୍ଚ ତାପ ସୃଷ୍ଟି ହେବା ସାଧାରଣ କଥା
– ବ୍ରିଟେନରେ ଜେଟ୍ ଷ୍ଟ୍ରିମ୍ ଅବସ୍ଥିତି ଯୋଗୁ ହିଟୱେଭ ଦେଖିବାକୁ ମିଳୁଛି
– ଏହି ଜେଟ୍ ଷ୍ଟ୍ରିମ ସାଧାରଣତଃ ଗ୍ରୀଷ୍ମ ଋତୁରେ ବ୍ରିଟେନର ଉତର ଭାଗରେ ଦେଖା ଦେଇଥାଏ
– ଏହି ଜେଟ୍ ଷ୍ଟ୍ରିମ ପୃଥିବୀ ପୃଷ୍ଠରୁ ପ୍ରାୟ ୫ରୁ ୭ ମାଇଲ ଉଚ୍ଚରେ ଥିବା ପ୍ରବଳ ପବନର କେନ୍ଦ୍ରସ୍ଥଳୀ
– ଏହି ପବନ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବାୟୁରେ ପରିବର୍ତ୍ତନ ଆଣେ
– ଯାହା ପରେ ସେହି ସ୍ତରରେ ଚାପ ସୃଷ୍ଟି କରିଥାଏ
– ଏହି କାରଣରୁ ଭୁପୃଷ୍ଠରେ ଯେକୌଣସି ଅଂଚଳରେ ପାଣିପାଗରେ ପରିବର୍ତନ ଆସିଥାଏ
– ଧିମା ଜେଟ୍ ଷ୍ଟ୍ରିମ୍ ବ୍ରିଟେନ୍ ଉପରେ ଉଚ୍ଚ ଚାପ ସୃଷ୍ଟି କରିଥାଏ
– ଫଳରେ ପାଗ ମୁଖ୍ୟତଃ ଶୁଖିଲା ରହିଥାଏ
– ବ୍ରିଟେନରେ ଉଚ୍ଚ ତାପମାତ୍ରା ପାଇଁ ‘ଆଜୋରେସ୍ ହାଇ’ ନାମକ ଏକ ସିଷ୍ଟମ ଦାୟୀ
– ‘ଆଜୋରେସ୍ ହାଇ’ ନାମକ ଏକ ଉଚ୍ଚଚାପ ବ୍ୟବସ୍ଥା ରହିଛି
– ଏହା ସ୍ପେନ୍ ଠାରୁ ବହୁ ଦୂରରେ ଅବସ୍ଥିତ
– ଚଳିତଥର ଏହି ଚାପ ବୃଦ୍ଧି ପାଇବାରୁ ଏହା ଉତର ଦିଗକୁ ଗତି କରିଛି
– ଫଳରେ ବ୍ରିଟେନ୍, ଫ୍ରାନ୍ସ ଓ ଇବେରିଆନରେ ତାପମାତ୍ରା ବୃଦ୍ଧି ପାଇଛି
– ସେପଟେ ଉତ୍ତର ଆଫ୍ରିକା ଓ ସାହାରାରୁ ଆସିଥିବା ଗରମ ପବନ ଦକ୍ଷିଣ ଆଡ଼କୁ ଗତି କରୁଥିବାରୁ ଏହା ୟୁରୋପ ଆଡ଼କୁ ମଧ୍ୟ ଗତି କରୁଛି
– ପରିଣାମ ସ୍ୱରୂପ ଫ୍ରାନ୍ସ ଓ ସ୍ପେନ୍ ସମେତ ଅଧିକାଂଶ ସ୍ଥାନରେ ତାପାମାତ୍ରା ୪୫ ଡିଗ୍ରୀ ଛୁଇଁଛି