ଯୋଗୀ ସରକାରଙ୍କ ମନ୍ତ୍ରୀ ଦୀନେଶ ଖଟୀକ ଦେଲେ ଇସ୍ତଫା । କହିଲେ ଦଳିତ ହୋଇଥିବା କାରଣରୁ ମିଳୁନଥିଲା ସମ୍ମାନ ।

411

କନକ ବ୍ୟୁରୋ: ସାମନାକୁ ଆସିଲା ଯୋଗୀ ସରକାରରେ ଥିବା ମନ୍ତ୍ରୀଙ୍କ ଅସନ୍ତୋଷ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଇସ୍ତଫା ପତ୍ର ପଠାଇଲେ ଉତ୍ତରପ୍ରଦେଶର ରାଜ୍ୟମନ୍ତ୍ରୀ ଦୀନେଶ ଖଟୀକ । ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜଭବନକୁ ମଧ୍ୟ ନିଜ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି । ଦଳିତ ହୋଇଥିବା କାରଣରୁ ଦଳରେ ଏବଂ ବିଭାଗୀୟ ଅଧିକାରୀମାନେ ମଧ୍ୟ ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ଦୀନେଶ ଖଟୀକ ।

ଯୋଗୀ ସରକାରରେ ଜଳସମ୍ପଦ ମନ୍ତ୍ରୀ ଥିବା ଦୀନେଶ ଖଟୀକ ଅଭିଯୋଗ କରିଛନ୍ତି ଯେ, ଦଳିତ ହୋଇଥିବା କାରଣରୁ ବିଭାଗରେ ତାଙ୍କୁ କେହି ଗୁରୁତ୍ୱ ଦେଉନଥିଲେ । ଏପରିକି କୌଣସି ଗୁରୁତ୍ୱ ବୈଠକ ହେଲେ ତାଙ୍କୁ ଅବଗତ କରାଯାଉନଥିଲା ବୋଲି ମନ୍ତ୍ରୀ ଅଭିଯେଗ କରିଛନ୍ତି । କେବଳ ସେତିକି ନୁହେଁ ଟ୍ରାନ୍ସଫର ମାମଲାରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଜବାବ ତଲବ କରିଥିଲେ ବି ଏଯାଏଁ ତାଙ୍କୁ ଅଧିକାରୀମାନଙ୍କ ଠାରୁ କୌଣସି ଜବାବ ମିଳିନାହିଁ । ତେଣୁ ଏସବୁ ଘଟଣା ଗୁଡିକ ଯୋଗୁଁ ଅସନ୍ତୋଷ ଥିବାରୁ ସେ ଇସ୍ତଫା ଦେଉଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।