ପୂଜା ସମୟରେ ଅଭାବନୀୟ କାଣ୍ଡ । ବଲାଙ୍ଗୀରରେ ନାବାଳକକୁ ବଳି ଅଭିଯୋଗ, ନଦୀପଠାରୁ ମୁଣ୍ତବିହୀନ ଶବ ଉଦ୍ଧାର

63

କନକ ବ୍ୟୁରୋ : ଦୁର୍ଗାପୂଜାକୁ ନେଇ କମ୍ପୁଛି ଓଡ଼ିଶା। ଗାଁ ଗଣ୍ଡା, ସହର ବଜାର ସମସ୍ତେ  ପୂଜାରେ ମଗ୍ନ। ଠିକ୍ ଏମିତି ଏକ ସମୟରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ନାବାଳକକୁ ବଳି ଦିଆଯାଇଥିବା ନେଇ ଏକ ଚାଞ୍ଚଲ୍ୟକର ଅଭିଯୋଗ ହସ୍ତଗତ ହୋଇଛି। ଅନ୍ଧବିଶ୍ବାସର ପରିଣତି କେତେ ଭୟଙ୍କର ହୋଇପାରେ, ତାର ଏକ ବିକଟାଳ ରୂପ ଆଜି ଏଠାରେ ପରିଲକ୍ଷିତ ହୋଇଛି। ସ୍ଥାନୀୟ ଶୁଣ୍ଢିମୁଣ୍ଡା ଗାଁ ନିକଟରେ ଥିବା ଉନ୍ଦେର ନଦୀପଠାରୁ ଏକ ନାବାଳକର ମୁଣ୍ଡ ବିହୀନ ଶବ ଜବତ ହୋଇଛି। ମୃତ ନାବାଳକ ସିନ୍ଧେକେଲା ରଣାପଡାର ହୀରା ରଣାଙ୍କ ସାନ ପୁଅ ଘନଶ୍ୟାମ (ମିଥୁନ)। ତାର ବୟସ ୯ବର୍ଷ। ସେ ସିନ୍ଧେକେଲା ପ୍ରାଥମିକ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର। ଗତ ୧୩ ତାରିଖରୁ ଘନଶ୍ୟାମ ନିଖୋଜ ଥିଲା।

ତେବେ ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଚଂଳରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ପୂଜା ସମୟରେ ଏପରି ହୋଇଥିବାରୁ କେହି ତାନ୍ତ୍ରିକ ବଳି ଦେଇଥିବା ନେଇ ସନ୍ଦେହ ଘନେଇ ଥିଲା । ଏହାସହ ଯେହେତୁ ଶବର ମୁଣ୍ଡ କଟା ଯାଇଥିଲା ତେବେ ସନ୍ଦେହକୁ ଖୋରାକ ଯୋଗାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ପହଚିଂ ପୂର୍ବ ଶତ୍ରୁତାରୁ ଏପରି ହୋଇଥାଇ ପାରେ ବୋଲି କହିବା ସହ ତଦନ୍ତ ଆରମ୍ଭ କରିଛି । ପରେ ସାଇଣ୍ଟିଫିକ ଟିମ ସହ ପୋଲିସ ଖୋଜାଖୋଜି କରିବା ପରେ ନିକଟସ୍ଥ ଜଙ୍ଗଲରୁ ମୁଣ୍ଡ ଉଦ୍ଧାର କରାଯାଇଥିଲା । ତେବେ ଏପରି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।