ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । କହିଲେ, ରାଉରକେଲାରେ ସୁଧୁରୁଛି ହଇଜା ସ୍ଥିତି । ଦୁଇରୁ ତିନିଦିନ ଭିତରେ ହେବ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ।

108

କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ଅବସ୍ଥାରେ ସୁଧାର ଆସିଲାଣି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ । କହିଛନ୍ତି ହଇଜା ସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିଲାଣି । ହଇଜା ଗ୍ରାଫ୍ ଏବେ ତଳମୁହାଁ ହେଉଛି । ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି । ଏସସିବିରୁ ଏକ ସ୍ୱତନ୍ତ୍ର ଟିମ ରାଉରକେଲା ଆସି ତଦନ୍ତ କରିବେ । ପାଣିର ମାନ ଓ ଖାଦ୍ୟର ଯାଞ୍ଚ କରାଯାଉଛି । ସହରରେ ଥିବା ପିଏଚସିରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିବା ଯାଏଁ ପିଏଚସିରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଜାରି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ଆଜି ରାଉରକେଲାରେ ପହଞ୍ଚି ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ୱାସ୍ଥ୍ୟ ସେବାର ଅନୁଧ୍ୟାନ କରିଛନ୍ତି । ସ୍ଥିତିରେ ସୁଧାର ଆସିଥିବା ବେଳେ ଆଗକୁ କେଉଁ କାରଣରୁ ହଇଜା ବ୍ୟାପିଲା ତାର ଅନୁସନ୍ଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।