‘ସିଦ୍ଧୁ ଦଳ ଉପରେ ନୁହଁନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜରୁରୀ’ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କଲେ ପଞ୍ଜାବ କଂଗ୍ରେସ ପ୍ରଭାରୀ ।

122

କନକ ବ୍ୟୁରୋ : ନବଜୋତ ସିଂ ସିଦ୍ଧୁଙ୍କୁ ନେଇ କଂଗ୍ରେସରେ ବଡ ଧରଣର ହଟଚମଟ । କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସିଦ୍ଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହରିଶ କହିଛନ୍ତି, ସିଦ୍ଧୁ ଦଳର ଉପରେ ନୁହଁନ୍ତି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ । ଦଳ ବିରୋଧୀ ଗତିବିଧି ଓ ଲଗାତାର ବୟାନବାଜି କରୁଥିବାରୁ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ହରିଶ ।

ହରିଶ କହିଛନ୍ତି, ସିଦ୍ଧୁଙ୍କ ଅନୁଶାସନହୀନତା ପାଇଁ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଚିଠି ଲେଖିଛି । ଏ ବାବଦରେ ସିଦ୍ଧୁଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଉ । ଏହାପୂର୍ବରୁ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ସଚ୍ଚୋଟ ଓ ଛୋଟ ଭାଇ ବୋଲି କହିଥିଲେ । ପଞ୍ଜାବର ଜନତା ଏଥିପାଇଁ ପରିବର୍ତ୍ତନ ଚାହିଁଲେ କାରଣ କଂଗ୍ରେସର ପୂର୍ବ ମୁଖ୍ୟମନ୍ତ୍ରୀ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ମୋ ଲଢେଇ ମଧ୍ୟ ମାଫିଆଙ୍କ ବିରୋଧରେ ଜାରି ରହିଛି ।

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଯିବାକୁ ନେଇ ନବଜୋତ ସିଂ ସିଦ୍ଧୁ ଏବେ ନାରାଜ ରହିଛନ୍ତି । ଏପରିକି ବିଭିନ୍ନ କାର୍ଯ୍ୟକ୍ରମରେ ନୂଆ ପଞ୍ଜାବ ଅଧ୍ୟକ୍ଷଙ୍କ ସହ ମଞ୍ଚ ସେୟାର କରୁନାହାନ୍ତି ସିଦ୍ଧୁ ।