ସରଳ ଜୀବନ, ନିର୍ମଳ ଭାବମୂର୍ତ୍ତି । ୨୫ ବର୍ଷର ରାଜନୈତିକ କ୍ୟାରିୟରରେ ଅପରାଜେୟ ନବୀନ । ଜନ୍ମଦିନରେ ପଢନ୍ତୁ, କେମିତି ରହିଛି ନବୀନଙ୍କ ରାଜନୈତିକ କ୍ୟାରିୟର?

୭୭ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

153

କନକ ବ୍ୟୁରୋ: ନବୀନ ପଟ୍ଟନାୟକ । ଧଳାକୁର୍ତ୍ତା ପାଇଜାମା, ହାୱାଇ ଚପଲ ଆଉ ନିର୍ମଳ ଭାବମୂର୍ତ୍ତି । ନବୀନ ଏମିତି ଜଣେ ନେତା, ଯାହାଙ୍କୁ ରାଜନୀତିରେ କେବେ କଳଙ୍କ ଛୁଇଁନି, କି ତାଙ୍କ ନିର୍ମଳ ଭାବମୂର୍ତ୍ତି କେବେ ବି କ୍ଷୁର୍ଣ୍ଣ ହେଇନି । ନିର୍ବାଚନ ପରେ ନିର୍ବାର୍ଚନ ଯାଇଛି, ବିଜୟ ପରେ ବିଜୟ ମିଳିଛି । ଗଲା ଦୁଇ ଦଶନ୍ଧୀ ଧରି କ୍ଷମତାର କେନ୍ଦ୍ରବିନ୍ଦୁରେ ଥିବା ନବୀନ , ଆଜି କେବଳ ଜଣେ ସାଧାରଣ ନେତା ନୁହଁନ୍ତି ଦେଶର ରାଜନୀତିରେ ନବୀନ ଏକ ବ୍ରାଣ୍ଡ ହେଇସାରିଛନ୍ତି ।

୭୭ ବର୍ଷୀୟ ନବୀନଙ୍କ ଜୀବନ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯେମିତି ସାଧାରଣ ଥିଲା, ମୁଖ୍ୟମନ୍ତ୍ରୀ ପରେ ବି ତାଙ୍କ ଜୀବନ ସେମିତି ନିରାଡମ୍ବର ରହିଛି । ପ୍ରତିଟି ମୂହୁର୍ତ୍ତରେ ସେ ଓଡିଶା ଆଉ ଓଡିଶାବାସୀଙ୍କ ହୃଦୟ ଜିତିଛନ୍ତି, ଆଉ ପ୍ରତିଟି ଓଡିଆଙ୍କୁ ନବୀନଙ୍କୁ ଦେଇଛନ୍ତି ଅକୁଣ୍ଠ ଭଲପାଇବା । ଯାହାର ପ୍ରମାଣପତ୍ର ହେଉଛି ଶାସନ କ୍ଷମତାରେ ନବୀନଙ୍କ ୨ ଦଶନ୍ଧିର ଯାତ୍ରା ।

ରାଜନୀତିରେ ଲମ୍ବା ରେସର ଘୋଡା ଭାବେ ଉଭା ହେଇଥିବା ନବୀନଙ୍କ ରାଜନୀତିରେ ପ୍ରବେଶ, ଯେମିତି ଆକସ୍ମିକ ଥିଲା, ସେମିତି ଥିଲା ଅପ୍ରତ୍ୟାଶ୍ରିତ । ସେତେବେଳର ରାଜନୈତିକ ଦୃଶ୍ୟପଟ୍ଟରେ ନବୀନ ଥିଲେ ପୂରାପୂରି ଅଜଣା । ନା ନେତା, ନା ଜନତା, କେହି ବି କେବେ କଳ୍ପନା କରିନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ ଅଧ୍ୟାୟ ଲେଖିବାକୁ ଯାଉଛିନ୍ତି ।

୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଆଉ ଏତିକି ବେଳେ ରାଜନୀତିରେ ବିଦ୍ୟାରମ୍ଭ କରିଥିଲେ ନବୀନ । ଆଉ ଖୁବ୍ କମ ସମୟ ମଧ୍ୟରେ ଓଡ଼ିଶା ରାଜନୀତିର ଗୋଳମାଳିଆ ପାଠକୁ ବେଶ ଭଲ ଭାବରେ ବୁଝି ପାରିଥିଲେ ବିଜୁଙ୍କ ଦାୟଦ । କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ, ଦୁଇ ଦଶନ୍ଧି ପୂର୍ବରୁ ଓଡ଼ିଶାବାସୀଙ୍କ ପାଇଁ ଅପରିଚିତ ଥିବା ନବୀନ ପରବର୍ତ୍ତୀ ସମୟରେ କୋଟି ଓଡ଼ିଆଙ୍କ ନଜରରେ ଅଦ୍ୱିତୀୟ ନେତା ପାଲଟିଯିବେ ।

• ଜୁନ୍ ୧୯୯୭ରେ ଆସ୍କାରୁ ପ୍ରଥମ ଥର ସାଂସଦ

• ୧୯୯୭ ଡିସେମ୍ବର ମାସରେ ବିଜେଡି ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

• ୧୯୯୮ ମସିହା ମାର୍ଚ୍ଚ ମାସରେ ନବୀନ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ

କିଛି ଏଭଳି ଭାବେ ଆରମ୍ଭ ହୋଇଥିଲା ନବୀନଙ୍କ ରାଜନୈତିକ କ୍ୟାରିୟରର ପ୍ରଥମ ଅଧ୍ୟାୟ । ଆଉ ୨୦୦୦ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ନବୀନ ରାଜନୀତିର ବର୍ଣ୍ଣବୋଧ ଶିଖିସାରିଥିଲେ । ବାସ୍ ଏଇଠୁ ହିଁ ଆରମ୍ଭ ହେଇଥିଲା ଓଡିଶା ରାଜନୀତିରେ ନବୀନ ଯୁଗ । ୨୦୦୦, ୨୦୦୪,୨୦୦୯, ୨୦୧୪ ଆଉ ୨୦୧୯ । ସବୁଥର ସବୁ ନିର୍ବାଚନରେ ଓଡିଶାବାସୀ ନବୀନଙ୍କୁ ହିଁ ନିଜର ନେତା ବାଛିଛନ୍ତି । ଆଉ ନବୀନ ବି ଲୋକଙ୍କ ମନ ଜିଣି, ଯୋଜନା ପରେ ଯୋଜନା ଭେଟିଦେଇଛନ୍ତି ।

  • ମହିଳାଙ୍କ ପାଇଁ ମିଶନ୍ ଶକ୍ତି
  • କୃଷକଙ୍କ ପାଇଁ କାଳିଆ
  • ଅସହାୟଙ୍କ ପାଇଁ ଆହାର
  • ସୁସ୍ଥ ଓଡିଶା ଗଠନ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ନବୀନଙ୍କ ପ୍ରତିଟି ନିଷ୍ପତ୍ତି ତାଙ୍କୁ ଆହୁରି ଅଧିକ ଲୋକପ୍ରିୟ କରିଛି । ଲୋକଙ୍କ ଭରସା ଆଉ ବିଶ୍ୱାସକୁ ଆହୁରି ଅଧିକ ଦୃଢୀଭୂତ କରିଛି । ଯେଉଁଥିପାଇଁ ରାଜ୍ୟବାସୀ ପାଞ୍ଚ ପାଞ୍ଚ ଥର ନବୀନଙ୍କ ସପକ୍ଷରେ ଭରସାର ଭୋଟ୍ ଅଜାଡି ଦେଇଛନ୍ତି ।

ମନ୍ଦିର ସୌନ୍ଦର୍ଯ୍ୟକରଣ, ବିଶ୍ୱସ୍ତରୀୟ ମେଡିକାଲ ଗଠନ, ନୂଆ ନୂଆ ଷ୍ଟାଡିୟମ୍ ନିର୍ମାଣ । ନୂଆ ଓଡିଶା ଗଠନ ସହ ବିକଶିତ ଓଡିଶାର ସୂର୍ଯ୍ୟୋଦୟ ପାଇଁ ଦିନରାତି ପରିଶ୍ରମ କରିଚାଲିଛନ୍ତି ନବୀନ । ଯାହାକି ତାଙ୍କ ଏ ପରାଜୟ ବିହୀନ ରାଜନୈତିକ ଜୀବନର ସବୁଠୁ ବଡ ପୁଞ୍ଜି କହିଲେ ଅତ୍ୟୁକ୍ତି ହେବନି । ୨୫ ବର୍ଷରୁ ଅଧିକ ସମୟ ଧରି ରାଜନୀତିର ହୋ ହଲ୍ଲା ଭିତରେ ରହି ବି, ଆଜି ବି ନବୀନଙ୍କ ସ୍ୱଭାବ ଆଉ ବ୍ୟବହାର ପୂରାପୂରି ଶାନ୍ତ ଆଉ ସରଳ । ସ୍ମିତହାସ୍ୟ ସହ ପଦିଏ ପଦିଏ କଥା କହି କେବଳ ଓଡ଼ିଶାବାସୀଙ୍କ ମନ ଜିଣିନାହାନ୍ତି ବରଂ ବିରୋଧୀଙ୍କୁ ଚେକମେଟ ଦେବାରେ ସଫଳ ହୋଇଛନ୍ତି ନବୀନ ।

ଖୁବ୍ କମ କହୁଥିବା ନବୀନଙ୍କ କାମ ହିଁ କଥା କୁହେ । କରୋନା ସମୟରେ ନିଶ୍ୱାସ ଦେଇ ପୂରା ଦେଶର ବିଶ୍ୱାସ ଜିଣିଥିବା ନବୀନଙ୍କ ମହାମାରୀ ମୁକାବିଲାର ମଡେଲକୁ ପୂରା ବିଶ୍ୱ ପ୍ରଂଶସା କରିଛି । ଜିରୋ କାଜୁଆଲଟି ମନ୍ତ୍ରକୁ ଆଧାର କରି ବିପର୍ଯ୍ୟୟ ପରିଚାଳନାରେ ମହାରଥ ହାସଲ କରିଥିବା ନବୀନଙ୍କ ନେତୃତ୍ୱ ଓ ଶାସନ ଶୈଳୀକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ହୋଇଥାଏ । ସେହିଭଳି ହକି, ଫୁଟବଲ ବିଶ୍ୱକପ ଭଳି ବିଶ୍ୱସ୍ତରୀୟ କ୍ରୀଡାର ଆୟୋଜନ କରି ନବୀନ ଓଡ଼ିଶାକୁ କ୍ରୀଡା ରାଜଧାନୀର ପରିଚୟ ଦେଇଛନ୍ତି । ଶାସନ କ୍ଷମତା ନୁହେଁ ଜନସେବା ହିଁ ନବୀନଙ୍କ ଶାସନର ମୂଳମନ୍ତ୍ର । ଯାହାକୁ ଆୟୁଧ କରି ଓଡ଼ିଶାକୁ ରୂପାନ୍ତରଣ ରାସ୍ତାରେ ଆଗେଇ ନେଉଛନ୍ତି ଦୁଇ ଦଶନ୍ଧିର ଅପରାଜେୟ ନେତା ନବୀନ ପଟ୍ଟନାୟକ ।

ଓଡ଼ିଶାର ଏହି ଜନନେତା ଆଜି ୭୭ ବର୍ଷରେ ପାଦ ଦେଇଛନ୍ତି । ଆଜିର ଦିନରେ ହିଁ ଜ୍ଞାନଦେବୀଙ୍କ କୋଳକୁ ଆସିଥିଲେ କୁନି ନବୀନ । କିନ୍ତୁ ନବୀନ ଏବେ କେବଳ ଗୋଟିଏ ପରିବାରରେ ସୀମିତ ନୁହନ୍ତି ବରଂ ଓଡ଼ିଶାର ଘରେ ଘରେ ପରିଚିତ । କାରଣ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ପରିବାର ଭାବେ ଗ୍ରହଣ କରିଛନ୍ତି ନବୀନ । ଯାହା ତାଙ୍କୁ ଜନପ୍ରିୟ ନେତାର ପରିଚୟ ଦେଇଛି । ନେତାରୁ ଜନନେତା, ମୁଖ୍ୟମନ୍ତ୍ରୀରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଶାସକ ନୁହେଁ ସେବକ ଏହି ପରିଚୟ ନେଇ ଏବେ ଆଗକୁ ବଢୁଛନ୍ତି ନବୀନ ।