ଝୁଲା ପୋଲରେ ଝୁଲୁଛି ଆଦିବାସୀ ଅଞ୍ଚଳବାସୀ ଜୀବନ । ଦୁଃଖ ବୁଝିଲା ନାହିଁ ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଦେଖା ଗଲାନାହିଁ ସମସ୍ୟା । ନିଜ ଉଦ୍ୟମରେ ଝୁଲା ପୋଲ କରି ୨୦୧୭ ମସିହାରୁ ଯାତାୟତ କରୁଛନ୍ତି ଲୋକେ ।

65

କନକ ବ୍ୟୁରୋ: ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ଏକତ୍ରିତ ହୋଇ ନିଜ ଖର୍ଚ୍ଚରେ ତିଆରି କଲେ ଝୁଲା ପୋଲ । ଏଥିପାଇଁ କୌଣସି ଇଞ୍ଜିନିୟରଙ୍କ ପରାମର୍ଶ ନିଆଯାଇ ନାହିଁ । ଗ୍ରାମବାସୀ ନିଜ ବୁଦ୍ଧିରେ ରଡ୍, ତାର ଜାଲି ଓ ବିଦ୍ୟୁତ୍ ତାର ସାହାଯ୍ୟରେ କାଳିପେନୁ ନଦୀ ଉପରେ ପୋଲ ତିଆରି କରିଛନ୍ତି ।

କନ୍ଧମାଳର କାଳିପେନୁ ନଦୀ ଆରପଟେ ରହିଛି ସ୍କୁଲ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର ସବୁ କିଛି । ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ଏହି କାଳିପେନୁ ନଦୀ ପାର ହେବାକୁ ପଡିଥାଏ । କେବଳ ଏତିକି ନୁହେଁ ଜୀବନ ଜୀବିକା ପାଇଁ ରାତି ପାହିଲେ ଏଇ ନଦୀ ପାର ହେବାକୁ ପଡେ । ତେଣୁ ପୋଲଟିଏ ନିର୍ମାଣ କରିବାକୁ ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଗୁହାରି କରିଛନ୍ତି ଟପେରିକିଆ ଗାଁର ଲୋକେ । ହେଲେ କେହି ଏମାନଙ୍କ ଦୁଃଖ ନବୁଝିବାରୁ ଲୋକେ ଚାନ୍ଦା କରି ନିଜ ଖର୍ଚ୍ଚରେ ୨୦୧୭ ମସିହାରୁ ଝୁଲା ପୋଲ ତିଆରି କରିଛନ୍ତି ।

ଦେଢରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୁହା ରଡ୍ ଓ ତାର ଜାଲି କିଣି ଗଛରେ ବାନ୍ଧି ପୋଲ ତିଆରି କରିଛନ୍ତି । ଏଥିପାଇଁ ଦୁଇରୁ ଅଢେଇ ମାସ ସମୟ ଲାଗିଛି । ଲୋକେ ତିଆରି କରିଥିବା ଝୁଲା ପୋଲକୁ ନେତା ଓ ଅଧିକାରୀ ଦେଖିଛନ୍ତି କିନ୍ତୁ କେହି ସ୍ଥାୟୀ ପୋଲଟିଏ ପାଇଁ ଚିନ୍ତା କରି ନାହାନ୍ତି । ତେବେ ଆଗାମୀ ଦିନରେ ଯଦି ପୋଲ ନହୁଏ ତେବେ ଲୋକେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।